କଟକ: କଟକ କାଠଯୋଡି ନଦୀରେ ବିସ୍ଫୋରଣ। ଗୋପାଳପୁର ନିକଟ ନଦୀ ପଠାରେ ପୋଲିସ ଜବତ କରିଥିବା ବାଣ ନଷ୍ଟ କରିବା ସମୟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ହଠାତ୍ ଜୋର୍ ରେ ଶବ୍ଦ ହେବାରୁ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଥିଲେ। ଏହାପରେ ଲୋକମାନେ ଘରୁ ବାହାରି ନଦୀପଠା ନିକଟକୁ ଯାଇଥିଲେ । ତେବେ ପୋଲିସ ଜବତ ବାଣକୁ ନଷ୍ଟ କରାଯାଉଛି ବୋଲି କହିଥିଲା। ତେବେ ଏହି ବାଣର ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଗୋପାଳପୁର ନିକଟ ଅଧିକାଂଶ ସାହି, ଏପରିକି ନଦୀର ଅପରପାର୍ଶ୍ୱରେ ଖାନନଗର ଓ ବାଦାମବାଡ଼ି ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଭିଥିଲା। ଏହି ବିସ୍ଫୋରଣରେ କେତେକ ଲୋକଙ୍କ ଘର ଦୋହଲିଥିବା ସହ କାଚ ଝରକା ମଧ୍ୟ ଭାଙ୍ଗିଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଏଭଳି କାର୍ଯ୍ୟ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହେଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି।
