ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡା ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ସହଯୋଗ ରେ ଶକ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତିନି ଦିନିଆ ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମହିଳା ମାନଙ୍କୁ ନେଇ ଏକ ଶକ୍ତି ପଦଯାତ୍ରା ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରୁ ଅନୁଷ୍ଠିତ ହୋଇଥିଲା।ଏହି ପଦଯାତ୍ରା ଶ୍ରୀଜଗନ୍ନାଥ ଷ୍ଟାଡିୟମ, ପେଣ୍ଠକଟା,ସଂସ୍କୃତ ବିଶ୍ୱ ବିଦ୍ୟାଳୟ ଦେଇ ପୁନଃ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ପହଞ୍ଚି ଥିଲା । ଏହି ପଦଯାତ୍ରାକୁ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ଏନ ଏସ ଏସ ଅଫିସର ଗୋଲକ ବିହାରୀ ପଲାଇ, ପ୍ରାକ୍ତନ କ୍ରୀଡା ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର ପରିଡା ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମହିଳା ମାନଙ୍କୁ ମହିଳା ଦିବସରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପ୍ରତିଟି ମହିଳା ଶକ୍ତି ର ପ୍ରତୀକ । ତେଣୁ ନିଜକୁ ଦୁର୍ବଳ ନ ଭାବି ନିଜ ଦକ୍ଷତା ଓ କୌଶଳକୁ ପ୍ରତିପାଦିତ କରିବାକୁ ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଆହ୍ୱାନ ଦେଇଥିଲେ । ପ୍ରାକ୍ତନ କ୍ରୀଡା ପ୍ରଶିକ୍ଷକ ଶ୍ରୀ ପରିଡା ଅଧ୍ୟବସାୟ, କଠୋର ପରିଶ୍ରମ, ସାହସ ଓ ସଂକଳ୍ପ ବଦ୍ଧ ଭାବେ ନିଜ ସ୍ୱପ୍ନ ହାସଲ ପାଇଁ ପ୍ରଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ।
