ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସମ୍ପୂର୍ଣ୍ଣ ଅବ୍ୟବସ୍ଥା। ବର୍ଷା ଦିନରେ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ୱାର୍ଡ ଓ କକ୍ଷର ଛାତରୁ ପାଣି ଗଳୁଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଧ୍ୟ ବର୍ଷାଜଳ ଜମି ରହୁଥିବାରୁ ରୋଗୀଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସାରଙ୍ଗଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପାଖାପାଖି ଚାରିଟି ପଞ୍ଚାୟତର ଲୋକେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବାବେଳେ ମୌଳିକ ସୁବିଧାର ଅଭାବ ଯୋଗୁଁ ସେମାନେ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି। ଦୁର୍ଗମ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ସତ୍ତ୍ୱେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି।

ଅଭିଯୋଗ ଅନୁସାରେ ପୁରୁଷ ଇନ୍ଡୋର ୱାର୍ଡ, ମହିଳା ଇନ୍ଡୋର ୱାର୍ଡ, ସେବିକା କକ୍ଷ, ରକ୍ତ ନମୁନା ପରୀକ୍ଷାଗାର ଏବଂ ପ୍ରତୀକ୍ଷା କକ୍ଷର ଛାତରୁ ବର୍ଷା ପାଣି ଗଳୁଛି। ଫଳରେ ରୋଗୀମାନେ ଚିକିତ୍ସା ପାଇଁ ଆସିଥିଲେ ମଧ୍ୟ ଦୀର୍ଘ ସମୟ ରହିପାରୁ ନାହାନ୍ତି। ଅନେକ ରୋଗୀ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ରେଫର କରିବାକୁ ଅନୁରୋଧ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଭଳି ପରିସ୍ଥିତିରେ ରୋଗୀଙ୍କ ସୁରକ୍ଷା ସହ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ମଧ୍ୟ ପ୍ରଭାବିତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ସାରଙ୍ଗଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭଙ୍ଗା ଛାତର ମରାମତି, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଏବଂ ଆବଶ୍ୟକ ଭିତ୍ତିଭୂମିର ଉନ୍ନତି କରି ରୋଗୀମାନଙ୍କୁ ସୁରକ୍ଷିତ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନୂତନ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି
