ଚଣ୍ଡିଗଡ଼: ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଶନିବାର ଦିନ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଖ୍ୟ ବିଚାରପତି ଶୀଳ ନାଗୁ ଏବଂ ବିଚାରପତି ବିକ୍ରମ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ହାଇକୋର୍ଟ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏଥି ସହିତ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୋଷୀ ସାବ୍ୟସ୍ତ ରାୟକୁ ବଜାୟ ରଖିଛନ୍ତି। ଛତ୍ରପତିଙ୍କୁ ୨୦୦୨ ଅକ୍ଟୋବର ୨୪ ତାରଖରେ ତାଙ୍କ ବାସଭବନରେ ଅତି ନିକଟରୁ ଗୁଳି କରାଯାଇଥିଲା। ତାଙ୍କ ଖବରକାଗଜରେ ଏକ ବେନାମୀ ଚିଠି ପ୍ରକାଶ ପାଇବାର କିଛି ମାସ ପରେ ଏହି ଆକ୍ରମଣ ହୋଇଥିଲା, ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ସାଧ୍ୱୀ ଭାବରେ ଡେରାରେ ଯୋଗ ଦେଇଥିବା ମହିଳାମାନେ ଯୌନ ସମ୍ପର୍କ ସ୍ଥାପନ କରୁଛନ୍ତି। ୨୦୧୯ ଜାନୁଆରୀ ୧୭ ତାରିଖରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହିମ ଏବଂ ଅନ୍ୟ ତିନିଜଣଙ୍କୁ ଆଜୀବନ କାରାଦଣ୍ଡ ଏବଂ ୫୦,୦୦୦ ଟଙ୍କା ଜରିମାନା କରିଥିଲେ। ଡେରା ମୁଖ୍ୟ ଏବଂ ସହ-ଅଭିଯୁକ୍ତମାନେ ସେହି ବର୍ଷ ଶେଷରେ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ, ଯୁକ୍ତି ବାଢ଼ିଥିଲେ ଯେ ସେମାନଙ୍କୁ ଏହି ମାମଲାରେ ମିଥ୍ୟା ଭାବରେ ଫସାଇ ଦିଆଯାଇଛି।
