ଭୁବନେଶ୍ୱର (ବ୍ୟୁରୋ): ଅଲ୍ ଓଡିଶା ଚେସ୍ ଆସୋସିଏସନ (ଏଓସିଏ) ମଧ୍ୟରେ କୁହୁଳୁଥିବା ବିବାଦ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । କିଛି ଦିନ ପୂର୍ବରୁ ସଂଘର ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ସମ୍ପାଦକ ଦେବବ୍ରତ ଭଟ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ତାଙ୍କୁ ସଂଘରୁ ବହିଷ୍କୃତ କରିଥିବା ଘଟଣା ମନରୁ ନ ଯାଉଣୁ ଆଜି ପୁଣି ସମ୍ପାଦକ ତଥା ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ମାନେ ସଭାପତି ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ ବହିଷ୍କୃତ କରିଥିବା ସୂଚନା ଦେଇଛନ୍ତି ସମ୍ପାଦକ ଶ୍ରୀ ଭଟ୍ଟ । ରବିବାର ଭୁବନେଶ୍ୱରରେ ସଂଘର ଅନୁଷ୍ଠିତ ଏକ ବୈଠକ ପ୍ରାରମ୍ଭରେ ସୋନପୁରର ଚେସ୍ ସମ୍ପାଦକ ଗୌରୀଶ୍ୟାମ ପଣ୍ଡାଙ୍କ ମୃତ୍ୟୁରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାମାନେ ପୂର୍ବରୁ ଥିବା (୪ା୧ା୨୦୨୬) ଜେନେରାଲ ବଡିର ରିଜଲ୍ୟୁସନ ସର୍ବସମ୍ମତି କ୍ରମେ ପାସ୍ କରାଯାଇଥିଲା । ସଭାପତି ର କିଛି ଇସି ମେମ୍ବର ସଂଘ ବିରୁଦ୍ଧରେ କାର୍ଯ୍ୟ କରି ସଂଘ ଓ ସମ୍ପାଦକଙ୍କୁ ବଦନାମ କରିଛନ୍ତି । ତେଣୁ ତାଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ଆଲୋଚନା ହେବା ସହ ସର୍ବସମ୍ମତିକ୍ରମେ ଏହାକୁ ବିରୋଧ ସହ ଖଣ୍ଡନ କରାଯାଇଥିଲା । ସମ୍ପାଦକ ଶ୍ରୀ ଭଟ୍ଟ ରାଜ୍ୟରେ ଚେସ୍ ଖେଳର ତଥା ଚେସ୍ ଖେଳାଳୀଙ୍କର ଏଭଳି ଉନ୍ନତି କରିଛନ୍ତି ସେଥିପାଇଁ ତାଙ୍କୁ ଉପସ୍ଥିତ ସମସ୍ତ କର୍ମକତା ପ୍ରଂଶସା କରିଥିଲେ । ନିକଟରେ ସଭାପତି ଶ୍ରୀ ପଟ୍ଟନାୟକ ଡାକିଥିବା ଇସି ମିଟିଂକୁ ସର୍ବସମ୍ମତିକ୍ରମେ ବର୍ଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହିଭଳି ଆସନ୍ତା ୧୧ ତାରିଖରେ ସଭାପତି ଶ୍ରୀ ପଟ୍ଟନାୟକଙ୍କ ଯେଉଁ ମିଟିଂ ଡାକିଛନ୍ତି ତାହାକୁ ଅସାମ୍ବିଧାନିକ କହି ସମସ୍ତ ସଦସ୍ୟ ବିରୋଧ କରିଥିଲେ । ସଭାପତି ଶ୍ରୀ ପଟ୍ଟନାୟକଙ୍କର ଏହିଭଳି ଅନ୍ତର୍ଘାତି କାର୍ଯ୍ୟ ପାଇଁ ତାଙ୍କୁ ସମାଲୋଚନା କରାଯିବା ସହ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ସର୍ବସମ୍ମତିକ୍ରମେ ତାଙ୍କୁ ସଂଘରୁ ବାହାର କରିଦିଆଯାଇଥିଲା ଏବଂ ନୂଆ ଅନ୍ତରୀଣ ସଭାପତି ବଛା ଯାଇଥିଲା । ଭଦ୍ରକ ଚେସ୍ ସଂଘର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ରଙ୍କୁ ଅଲ୍ ଓଡିଶା ଚେସ୍ ଆସୋସିଏସନର ସଭାପତି ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା ଏବଂ ସମସ୍ତେ ତାଙ୍କୁ ସୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ନୂତନ ସଭାପତି ଶ୍ରୀ ରାୟ ମହାପାତ୍ର କହିଥିଲେ ଚେସ୍ ସଂଘର ଅଟକି ଯାଇଥିବା ସମସ୍ତ କାର୍ଯ୍ୟକୁ ସମ୍ପାଦକଙ୍କ ମାଧ୍ୟମରେ ପୂରଣ କରାଯିବ । ଏହି ବୈଠକରେ ପୁରୀ ଜିଲ୍ଲା ଚେସ୍ ସଂଘ ସଭାପତି ପ୍ରଦ୍ୟୁମ୍ନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାର କର୍ମକର୍ତ୍ତାମାନେ ଯୋଗ ଦେଇ ନିଜର ମତାମତ ରଖିଥିଲେ । ଆଜିର ବୈଠକରେ ୧୭ ଟି ଜିଲ୍ଲାର ପ୍ରତିନିଧିଗଣ ଓ ଅନୁମୋଦିତ ୨ ଟି ଚେସ ଏକାଡ଼େମୀ ସହ ଅଭିଭାବକ ମାନେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଅଲ ଓଡ଼ିଶା ଚେସ ସଂଘର ପୂର୍ବତନ ସମ୍ପାଦକ କୃଷ୍ଣ କୁମାର ଶର୍ମା ।
