କୁଏତ: ଇରାନ ଉପସାଗରରେ ତୃତୀୟ ଦିନର ଆକ୍ରମଣ ଜାରି ରଖିଥିବା ବେଳେ ସୋମବାର ସକାଳେ କୁଏତରେ ଏକ ଆମେରିକୀୟ ଏଫ୍-୧୫ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।ତେଣେ କୁଏତର ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଦାବି କରିଛନ୍ତି ଯେ କୁଏତରେ ଅନେକ ଆମେରିକୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଯୁଦ୍ଧବିମାନଗୁଡ଼ିକ ଖସିପଡ଼ିବା ପୂର୍ବରୁ ଏହାର ପାଇଲଟ୍ମାନେ ସଫଳତାର ସହ ବାହାରକୁ ବାହାରି ଆସିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ମନ୍ତ୍ରଣାଳୟ କହିଛି। ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଲଢ଼ୁଆ ବିମାନଟି ଦ୍ରୁତ ଗତିରେ ତଳକୁ ଖସିପଡ଼ିଥିବା ଦେଖାଯାଉଛି। ଫୁଟେଜରେ ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ ବାହାରିବା ମଧ୍ୟ ଦୃଶ୍ୟମାନ ହେଉଛି। କୁଏତ ସମନ୍ୱିତ ପେଟ୍ରୋଲିୟମ୍ ଶିଳ୍ପ କମ୍ପାନୀ କହିଛି ଯେ ବିମାନର ଭଗ୍ନାବଶେଷ ମିନା ଅଲ୍ ଅହମଦୀ ରିଫାଇନାରୀ ଭିତରେ ପଡ଼ିଥିଲା। ଯେଉଁଥିରେ ଦୁଇଜଣ ଶ୍ରମିକ ଆହତ ହୋଇଥିଲେ। ଆମେରିକାର ଏକ ରିପୋର୍ଟ ଅନୁସାରେ ଗୁଳି ଚାଳନା ପରେ ବିମାନଟି ଖସି ପଡ଼ିଥିଲା। ତେବେ ଏ ସଂକ୍ରାନ୍ତରେ ସରକାରୀ ଭାବେ କିଛି କୁହାଯାଇନାହିଁ। ଅନ୍ୟପକ୍ଷରେ ଇରାନ ଦାବି କରିଛି ଯେ ସେ ଜେଟ୍କୁ ଖସାଇ ଦେଇଛି।
