କୋଲକାତା: ୱେଷ୍ଟଇଣ୍ଡିଜ ଭଲ ବ୍ୟାଟିଂ କରିଥିଲା। କିନ୍ତୁ ଆଜି ଦିନଟି ଥିଲା ଭାରତୀୟ ୱିକେଟ କିପର ତଥା ଓପନର ସାଞ୍ଜୁ ସାମସନଙ୍କର। ତାମୁକାବିଲା ନିଶ୍ଚୟ ରୋମାଞ୍ଚକର ଥିଲା। ପ୍ରଥମରୁ ଲଗାତାର ୱିକେଟ ପ୍ରତିଟି ଭାରତୀୟ କ୍ରିକେଟ ପ୍ରେମୀଙ୍କ ହୃଦୟକୁ ଆଘାତ ଦେଇଥିଲା। ଯାହାବି ହେଉ, ଇଣ୍ଡିଜ୍ ଟିମ୍କୁ ମାତ୍ ଦେବାରେ କିନ୍ତୁ ସଞ୍ଜୁ ସାମସନଙ୍କ ୯୭ ରନ୍ର ଇନିଂସ ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଭାରତ ପାଞ୍ଚ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ପରେ ଭାରତ ସେମିଫାଇନାଲରେ ପ୍ରବେଶ କରିବାରେ ଚତୁର୍ଥ ତଥା ଅନ୍ତିମ ଦେଶ ହୋଇଛି। କୋଲକାତାର ଇଡେନ ଗାର୍ଡେନରେ ଟିମ୍ ଇଣ୍ଡିଆ ସର୍ବାଧିକ ସଫଳ ଟି-୨୦ ରନ ଚେଜ୍ ପାଇଁ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛି। ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୯୫ ରନ କରିଥିଲା ଏବଂ ଜବାବରେ ଭାରତ ଚାରି ବଲ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ଟି-୨୦ ବିଶ୍ୱକପ୍ ଇତିହାସରେ ଏହା ଷଷ୍ଠ ଥର ଭାରତ ସେମିଫାଇନାଲରେ ପହଞ୍ଚିଛି। ଯେତେବେଳେ ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମା ଏବଂ ଇଶାନ କିଷାନ ବିଫଳ ହେଲେ, ସଞ୍ଜୁ ସାମସନଙ୍କ ପାଲଟିଥିଲେ ଆଜି ମ୍ୟାଚ୍ର ସଙ୍କଟମୋଚକ। ୫୦ ବଲରେ ୧୨ ଚୌକା ଏବଂ ୪ ଛକା ସହାୟତାରେ ୯୭ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ ସଞ୍ଜୁ ସାମସନ। ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୯୬ ରନ୍ ର ଲକ୍ଷ୍ୟ ହାସଲ କରି ଇଡେନ୍ ଗାର୍ଡେନ୍ସରେ ସର୍ବାଧିକ ରନ୍ ଚେଜ୍ କରିବାର ରେକର୍ଡ ସ୍ଥାପନ କରିଥିଲା। ପୂର୍ବରୁ, କୋଲକାତାର ଇଡେନ୍ ଗାର୍ଡେନ୍ସରେ ସର୍ବାଧିକ ଟି-୨୦ ରନ୍ ଚେଜ୍ ୧୫୮ ଥିଲା। ସେହି ରେକର୍ଡ ମଧ୍ୟ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସ୍ଥାପନ କରିଥିଲା। ଭାରତର ବିଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ଛୋଟ ଇନିଂସ ସାହାଯ୍ୟ କରିଥିଲା, କିନ୍ତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପିଚ୍ରେ ରହିଥିବ ଜଣେ ଖେଳାଳି ଥିଲେ ସଞ୍ଜୁ ସାମସନ୍। ଭାରତକୁ ଶେଷ ଦୁଇ ଓଭରରେ ୧୭ ରନ୍ ଆବଶ୍ୟକ ଥିଲା। ୧୯ତମ ଓଭରର ଦ୍ୱିତୀୟ ବଲ୍ ରେ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ୍ କରି ଆଉଟ୍ ହୋଇଥିଲେ। ପରିସ୍ଥିତି କଷ୍ଟକର ହେଉଥିଲା, କିନ୍ତୁ ତା’ପରେ ଶିବମ୍ ଦୁବେ ଆସି ତିନୋଟି ବଲ୍ ରେ ଦୁଇଟି ଚୌକା ମାରିଥିଲେ। ଏହି ଚୌକା କେବଳ ସଞ୍ଜୁ ସାମସନଙ୍କ ଉପରେ ଚାପ କମ କରିନଥିଲା ବରଂ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ପ୍ରତ୍ୟାବର୍ତ୍ତନ କରିବାରୁ ମଧ୍ୟ ରୋକିଥିଲା। ପରିଶେଷରେ ଭାରତ ୫ ୱିକେଟରେ ବିଜୟ ହାସଲ କରି ଆଇସିସି ଟି୨୦ ପୁରୁଷ ବିଶ୍ୱକପ ୨୦୨୬ର ସେମିଫାଇନାଲରେ ପ୍ରବେଶ କରିଛି।
