ପୁରୀ: ପୁଣି ପୁରୀ ସମୁଦ୍ରରେ ମତୁଆଲା ଖେଳ ଦେଖାଇଛନ୍ତି ବଟଲ୍ନୋଜ୍ ଡଲ୍ଫିନ୍ । ମଙ୍ଗଳାନଦୀ ମୁହାଣରୁ ପେଣ୍ଠକଟା ଆଡ଼କୁ ଯାଉଥିବା ଡଲଫିନ୍ଙ୍କର ଏଭଳି ଖେଳକୁ ବେଶ୍ ମନଭରି ଉପଭୋଗ କରିଛନ୍ତି ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକ ।ଗୋଟିଏ ଦଳରେ ୪ରୁ ୫ ଡଲ୍ଫିନ୍ ଥିବା ବେଳେ ତିନିଟି ଦଳ ଏଭଳି ପାଣି ଉପରକୁ ଡେଇଁ ଡେଇଁ ଯାଇଛନ୍ତି ।ଗୋଟିଏ ମାସରେ ଦୁଇଦୁଇ ଥର ଡଲ୍ଫିନ୍ଙ୍କର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ଗତ ୯ତାରିଖରେ ବ୍ଲୁ ଫ୍ଲାଗ୍ ବିଚ୍ ରେ ଜୀବନ୍ତ ଶାମୁକାଙ୍କ ଖେଳ ପର୍ଯ୍ୟଟକଙ୍କୁ ବିମୋହିତ କରିଥିବାବେଳେ ୧୦ତାରିଖରେ ଠିକ୍ ଆଜି ଭଳି ଡଲ୍ଫିନ୍ ମାନେ ଦଳ ଦଳ ହୋଇ ଚିଲିକାରୁ ଚନ୍ଦ୍ରଭାଗା ଯାଇଥିଲେ । ଆଜି ଅପରାହ୍ନ ୨ଟା ବେଳେ ପ୍ରଥମେ ଷ୍ଟଲିଂ ହୋଟେଲ୍ ପଛପଟେ ଏହି ଡଲ୍ଫିନ୍ ଙ୍କର ଏକ ଦଳ ଦେଖାଦେଇଥିଲେ । ଏହି ଦଳର ଠିକ୍ ପଛରେ ଆଉ ଏକ ଦଳ ଆସୁଥିବା ଦେଖାଯାଇଥିଲା। ଦଳରେ କିଛି ଡଲ୍ପିନ୍ ବୁଡ଼ି ଯାଉଥିବା ବେଳେ କିଛି ଡଲ୍ପିନ୍ ପାଣି ଉପରକୁ ଉଠି ଯାଉଥିଲେ । ଏଭଳି ତାଳଦେଇ ସେମାନେ ଖେଳି ଖେଳି ପେଣ୍ଠକଟା ଆଡ଼କୁ ଆସୁଥିଲେ। ଅନେକ ପର୍ଯ୍ୟଟକ ସ୍ୱର୍ଗଦ୍ୱାରରୁ ଦିଗବାରେଣୀ ଖୁଣ୍ଟପର୍ଯ୍ୟନ୍ତ ତଲ୍ଫିନ୍କୁ ଦେଖିଦେଖି ଚାଲିଚାଲି ଆସୁଥିଲେ। ସାମୁଦ୍ରିକ ଜୀବ ବିଜ୍ଞାନୀଙ୍କ ମତରେ ଶୀତ ସରିବା ଓ ଖରା ଆରମ୍ଭହେବା ସମୟରେ ଏମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥାଏ। ଏମାନେ ସମୁଦ୍ରର ଉପରିଭାଗ ପାଣିରେ ବିଚରଣ କରିଥା’ନ୍ତି। ଏହି ସମୟରେ ଟ୍ରଲ ଓ ମେସିଚାଳିତ ଡଙ୍ଗା ଏମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।
