ପୁରୀ: ନବକଳେବର ରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମତମ ବାର୍ଷିକ ଉତ୍ସବ ଆଖଣ୍ଡଳମଣି ମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରି କହିଲେ ବିଦ୍ୟାଳୟକୁ ମନ୍ଦିର ଭାବି ଛାତ୍ରଛାତ୍ରୀ ମାନେ ପରିବେଶକୁ ସ୍ୱଚ୍ଛ ରଖିବା ଉଚିତ । ବାପା ଓ ମାଆ ପରି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହ ଗଛ ଲଗାଇବାକୁ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀଙ୍କ ନୃତ୍ଯ ସଂଗୀତ ପରିବେଷଣକୁ ଶ୍ରୀ ଷଡଙ୍ଗୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ପ୍ରମୋଦ କର ଓ ଦୀପକ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ ଭାବେ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ବରିଷ୍ଠ ସେବାୟତ ଭଗବାନ ସୁଆର, ସମାଜସେବୀ ଚକ୍ରଧର ମହାପାତ୍ର, ଧୀରେନ ରାୟ , ରାଜକିଶୋର ମହାପାତ୍ର ଓ ବିଦ୍ୟାଳୟର ସମ୍ପାଦକ ରାଜକିଶୋର ମହାନ୍ତି ପ୍ରମୁଖ ଯୋଗଦେଇ କହିଲେ ପିଲାମାନେ ଭଲ ପାଠ ପଢି ବିଦ୍ୟାଳୟର ନାମ ରଖିବା ସହ ଜିଲ୍ଲା ଓ ଦେଶର ନାମ ରଖି ନିଜର ଭବିଷ୍ୟତ ନିଶ୍ଚିତ ଉଜ୍ଜ୍ୱଳମୟ ହେବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସଭାପତି ସମରେନ୍ଦ୍ର ମିଶ୍ର ଉତ୍ସବରେ ସଭାପତିତ୍ୱ କରିଥିଲେ । ପ୍ରଧାନ ଆଚାର୍ଯ୍ଯା ମମତା ମହାନ୍ତି ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସହକାରୀ ଆଚାର୍ଯ୍ଯା ସବିତା ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଗଣେଶ ବନ୍ଦନା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡିଶୀନୃତ୍ଯ, ସମ୍ବଲପୁରୀ ନୃତ୍ଯ, ଆଧୁନିକ ନୃତ୍ଯ ଓ ଭଜନନୃତ୍ଯ ପରିବେଷଣ କରାଯାଇଥିଲା । ପିଲାମାନଙ୍କ ଚିତାକର୍ଷକ ନୃତ୍ଯ ଦେଖି ବିମୋହିତ ହୋଇଥିଲେ ଦର୍ଶକ । ଶିକ୍ଷୟିତ୍ରୀ ନିଜୁମ ପ୍ରଭା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ପ୍ରତିମା ରଥ,ଅନିତା ପ୍ରିୟଦର୍ଶନୀ ମହାରଣା, ରଶ୍ମିତା ସାମର୍ଥା, ଶ୍ରଦ୍ଧାଞ୍ଜଳୀ ମହାନ୍ତି, ପୁଷ୍ପଲତା ପଢିଆରୀ, ନିତୁ ସିଂ, ମନିଷା ମିଶ୍ର, ଶୁଭଲକ୍ଷ୍ମୀ ପ୍ରଧାନ, ସତ୍ଯଭାମା ସ୍ୱାଇଁ,ଲିଖିତା ରାଉତ, ଲିପା ଦାସ, ସାଗ୍ନିକା ସ୍ୱାଇଁ, କବିତା ନାୟକ, ତିଳୋତ୍ତମା ଦେଇ ଚିତ୍ରଙ୍ଗଦା ପରିଡା ଓ ସେବିକା ମୀନା ବଳିୟାରସିଂହ, ସରୋଜିନୀ ଶତପଥୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶତାଧିକ ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀଙ୍କ ସମେତ ଆଖପାଖ ସାହିର ଦର୍ଶକ ମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ମନୋଭରି ଉପଭୋଗ କରିଥିଲେ ।
