ନୂଆଦିଲ୍ଲୀ: ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଦିଲ୍ଲୀର କେତେକ ସ୍କୁଲକୁ ବୋମା ଧମକ ମିଳିଛି। ପୋଲିସ କହିଛି ଯେ, ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ ଇ-ମେଲ୍ ପଠାଯାଇଥିବା ଖବର ମିଳିଥିଲା। ଦ୍ୱାରକାର ସିଆରପିଏଫ୍ ପବ୍ଲିକ୍ ସ୍କୁଲ ଓ ସେଣ୍ଟ୍ ଥୋମାସ ସ୍କୁଲ ଏବଂ ପଶ୍ଚିମ ଏନକ୍ଲେଭରେ ଡିଏଭି ସେଣ୍ଟେନରୀ ପବ୍ଲିକ୍ ସ୍କୁଲକୁ ବୋମା ଧମକ ମିଳିଥିଲା। ଖବର ପାଇବା କ୍ଷଣି ତୁରନ୍ତ ଅଗ୍ନିଶମ ସେବା ବାହିନୀ ଏବଂ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ସ୍କୁଲ କର୍ତ୍ତୃପକ୍ଷ, ଛାତ୍ର ଏବଂ କର୍ମଚାରୀମାନଙ୍କୁ ପରିସରରୁ ବାହାର କରିବା ପରେ ସନ୍ଧାନୀ କୁକୁର ସାହାଯ୍ୟରେ ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ତେବେ ତଲାସୀ ଅଭିଯାନ ସମୟରେ କେଉଁଠାରୁ କିଛି ହେଲେ ସନ୍ଦେହଜନକ ବସ୍ତୁ ମିଳିନଥିଲା। ପୋଲିସ କହିଛି ଇ-ମେଲ୍ଗୁଡ଼ିକର ଉତ୍ସ ଏବଂ ସତ୍ୟତା ନିର୍ଣ୍ଣୟ କରିବା ପାଇଁ ଯାଞ୍ଚ କରାଯାଉଛି। ଏ ନେଇ ଅଧିକ ତଦନ୍ତ ଚାଲିଛି। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ସମାନ ଢଙ୍ଗରେ ଦିଲ୍ଲୀର ବିଭିନ୍ନ ସ୍କୁଲକୁ ଇମେଲ ଜରିଆରେ ବୋମା ଧମକ ମିଳିଥିଲା।
