ପୁରୀ: ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୦୪ତମ ଦିନରେ ପହଞ୍ଚିଛି। ଏହି ପଦଯାତ୍ରା ଏବେ କେବଳ ଏକ ଦୈନିକ କାର୍ଯ୍ୟକ୍ରମ ନୁହେଁ; ଏହା ଭକ୍ତଙ୍କ ଆସ୍ଥା, ଅଧିକାର ଓ ଆତ୍ମସମ୍ମାନ ପାଇଁ ଚାଲିଥିବା ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଆନ୍ଦୋଳନରେ ପରିଣତ ହୋଇଛି। ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚୁଛି। ପ୍ରତ୍ୟେକ ଦିନର ଏହି ଯାତ୍ରା ଗୋଟିଏ ଗଭୀର ପ୍ରଶ୍ନ ଉଠାଉଛି ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦ୍ୱାରରେ ଭକ୍ତଙ୍କ ମଧ୍ୟରେ ଭେଦଭାବ କାହିଁକି ଏହି ପ୍ରଶ୍ନ କାହା ବିରୋଧରେ ନୁହେଁ; ବରଂ ଏହା ପ୍ରତ୍ୟେକ ବିବେକବାନ ମଣିଷଙ୍କ ଅନ୍ତରାତ୍ମାକୁ ସ୍ପର୍ଶ କରୁଥିବା ଏକ ନୈତିକ ଆହ୍ୱାନ।

ଅସଂଖ୍ୟ ସାଧାରଣ ଭକ୍ତଙ୍କ ହୃଦୟର ଭାବନାକୁ ଏହି ପଦଯାତ୍ରା ପ୍ରକାଶ କରୁଛି, ଯେଉଁମାନେ ବିଶ୍ୱାସ କରନ୍ତି ଯେ ପ୍ରଭୁଙ୍କ ଦ୍ୱାରରେ କୌଣସି ଭକ୍ତ ବଡ଼ କିମ୍ବା ଛୋଟ ନୁହେଁ।୧୦୪ ଦିନର ଏହି ନୀରବ ପଦଯାତ୍ରାରେ ଅସଂଖ୍ୟ ପଦଚିହ୍ନ ରାସ୍ତାରେ ମିଶିଯାଇଥିଲେ ମଧ୍ୟ ପ୍ରତ୍ୟେକ ପଦକ୍ଷେପ ଲୋକଙ୍କ ହୃଦୟରେ ଏକ ସ୍ଥାୟୀ ଚିହ୍ନ ରଖିଯାଇଛି। ପ୍ରତ୍ୟେକ “ଜୟ ଜଗନ୍ନାଥ” ଧ୍ୱନିରେ ଅଗଣିତ ଲୋକଙ୍କ ଅକୁହା ବେଦନା, ଆଶା ଓ ଅତ୍ୟୁଟ ବିଶ୍ୱାସ ପ୍ରତିଧ୍ୱନିତ ହେଉଛି। ଜଗନ୍ନାଥ ସଂସ୍କୃତି ସମତା, ସାର୍ବଜନୀନତା ଓ ମାନବିକତାର ବାର୍ତ୍ତା ବହନ କରେ। ଯେଉଁଠାରେ ମହାପ୍ରସାଦ ସମସ୍ତଙ୍କୁ ସମାନ କରେ, ସେଠାରେ ଦର୍ଶନ ବ୍ୟବସ୍ଥାରେ ଭେଦଭାବର ଅନୁଭୂତି ଭକ୍ତମାନଙ୍କୁ ମର୍ମାହତ କରୁଛି। କୌଣସି ଭକ୍ତ ନିଜକୁ ପ୍ରଭୁଙ୍କ ଦ୍ୱାରରେ ପର ବୋଲି ଅନୁଭବ ନକରନ୍ତୁ ଏହା ହିଁ ଏହି ପଦଯାତ୍ରାର ମୂଳ ସଂକଳ୍ପ।ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଅଭିଯାନ କୌଣସି ବିଶେଷ ସୁବିଧା ଦାବି କରୁନାହିଁ। ଏହା କେବଳ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପ୍ରୟାସ।

୧୦୦ ଦିନର ଐତିହାସିକ ସୋପାନ ଅତିକ୍ରମ କରି ଆଜି ୧୦୪ତମ ଦିନରେ ଏହି ପଦଯାତ୍ରା ପ୍ରମାଣ କରିଛି ଯେ ସତ୍ୟ, ଧୈର୍ଯ୍ୟ ଓ ଭକ୍ତିର ଶକ୍ତି କୌଣସି ବାଧାଠାରୁ ବଡ଼।ସୋମବାର ପଦଯାତ୍ରାରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ, ସୁବାଷ ପଟ୍ଟନାୟକ, ମନୋରଞ୍ଜନ ରଣସିଂହ, ସନ୍ଧ୍ୟାରାଣୀ ମିଶ୍ର, ମମତା ସ୍ୱାଇଁ, ଶିବସୁନ୍ଦର ମିଶ୍ର, ବାସୁଦେବ ଲେଙ୍କା, ଅଭିମନ୍ୟୁ ପ୍ରଧାନ, କିଶୋର ଚନ୍ଦ୍ର ଦାସ, ଯାଦବାନନ୍ଦ ରାୟ, କାହ୍ନୁ ଚରଣ ପ୍ରଧାନ, ପ୍ରଫୁଲ୍ଲ କୁମାର ସାହୁ, ସନ୍ତୋଷ ସେନାପତି, ସରୋଜ ତ୍ରିପାଠୀ, ଶୁଭଶ୍ରୀ ମହାରଣା, ଦୀପା ବେହେରା, ମମତା ଦାସ, ମିନାକ୍ଷୀ ଦାସ, ତପନ କୁମାର ମଜୁମଦାର, ଜଗନ୍ନାଥ ମହାନ୍ତି, ଅରୁଣା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ସମର୍ଥନ ଜଣାଇଥିଲେ। ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଥିଲେ ଯେ ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତ ପ୍ରୟାସ। ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଅବ୍ୟାହତ ରହିବ ବୋଲି ସେ କହିଥିଲେ।ଶେଷରେ ପଦଯାତ୍ରୀମାନେ ଗୋଟିଏ ନୀରବ ପ୍ରଶ୍ନ ଉଠାଇଥିଲେ— ଯଦି ଜଗନ୍ନାଥ ସତରେ ସମଗ୍ର ବିଶ୍ୱର ନାଥ, ତେବେ ତାଙ୍କ ଦ୍ୱାରରେ କୌଣସି ଭକ୍ତଙ୍କ ଅଧିକାର କାହିଁକି ସୀମିତ ହେବ ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ। ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।
