କଳାହାଣ୍ଡି: ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଟ୍ରାକ୍ଟରରେ ବୁହାହେଲେ ଗର୍ଭବତୀ । ଆଣୁଥିବା ଟ୍ରାକ୍ଟର ଉପରେ ଶିଶୁ କନ୍ୟା ଜନ୍ମ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମାନ୍ତ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଏଁଲାଭଟା ପଞ୍ଚାୟତ ଦାବିରିଘାଟି ଗାଁର ଡୋମୁ ମାଝୀଙ୍କ ସ୍ତ୍ରୀ ଉର୍ମିଳା ମାଝୀ ଗର୍ଭ ଯନ୍ତ୍ରଣା ହେବାରୁ ଗତ ରାତି(ଶନିବାର)ପ୍ରାୟ ସାଢେ ଏଗାରଟା ସମୟରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଏହି ଗାଁକୁ ଭଲ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ନ ପାରି ଆମ୍ବୁଲାନ୍ସଟି ଚଚରାଗୁଡ଼ା ଗାଁରେ ଅଟକି ଯାଇଥିଲା। ଫଳରେ ପରିବାର ଲୋକେ ଏବଂ ଗ୍ରାମବାସୀ ଏକ ଟ୍ରାକ୍ଟର ଯୋଗେ ଚଚରାଗୁଡ଼ା ଗାଁକୁ ଆଣିଥିଲେ। ପରେ ଚଚରାଗୁଡ଼ା ଗାଁରୁ ଆମ୍ବୁଲାନ୍ସ ସାହାର୍ଯ୍ୟରେ ମୈଦଲପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଏହି ଗାଁ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ମୈଦଲପୁର ଉପରେ ଭରସା କରେ ।

ଜୟପାଟଣା ଯିବାକୁ ହେଲେ ୨୫କିମି ଦୂର ଯିବାକୁ ପଡୁଥିବା ବେଳେ ମୈଦଲପୁର ମାତ୍ର ୧୫ କିମି ଦୂର ।ଗାଁର ରାସ୍ତା ଅତି ଶୋଚନୀୟ ଭାବେ ରହିଥିବା ହେତୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଗର୍ଭଯନ୍ତ୍ରଣା ଅଧିକ ହେବାରୁ ଟ୍ରାକ୍ଟର ସାହାର୍ଯ୍ୟରେ ୧୦ କିମି ଦୂର ଚଚରାଗୁଡ଼ା ଗ୍ରାମକୁ ଆଣିଥିଲେ। ଟ୍ରାକ୍ଟର ସାହାର୍ଯ୍ୟରେ ଆଣୁଥିବା ସମୟରେ ହିଁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ପରିବାର ଲୋକେ କହିଛନ୍ତି । ଏହି ଗାଁକୁ ଆମ୍ବୁଲାନ୍ସ ଯାଇ ପ୍ରସୂତି ଓ ନବ ଜାତ କନ୍ୟାକୁ ପ୍ରଥମେ ମୈଦଲପୁର ଡାକ୍ତରଖାନାକୁ ଆଣିଥିଲେ। ପ୍ରସୂତୀଙ୍କ ରକ୍ତର ଅଭାବ ଓ ମ୍ୟାଲେରିଆ ଥିବା ହେତୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି। ଏଠି ପ୍ରଶ୍ନ ହେଉଛି, ଦୁର୍ଗମ ଅଂଚଳରେ ଆଜି ମଧ୍ୟ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି। ଯାହାକି ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ । କଳାହାଣ୍ଡି ଜିଲ୍ଲା ହେଲେ ମଧ୍ୟ ନବରଙ୍ଗପୁର ଜିଲ୍ଲା କୁ ଭରସାରେ ରହିଛନ୍ତି ଏହି ଅଞ୍ଚଳବାସୀ । ସରକାର ଏବଂ ପ୍ରଶାସନ ଦୃଷ୍ଟିଦେଇ ଏହି ଦୁର୍ଗମ ଗାଁ ପାଇଁ ଭଲ ରାସ୍ତାଟିଏ ନିର୍ମାଣ କରିବା ସହ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
