ଗୌହାଟି: ସୋମବାର ନାଗାଲାଣ୍ଡରେ ଏକ ବୋମା ବିସ୍ଫୋରଣରେ ଆସାମ ରାଇଫଲ୍ସର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅର୍ଦ୍ଧସାମରିକ ବାହିନୀର ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଅପରାହ୍ନରେ ଚୁମୌକେଡିମା ଜିଲ୍ଲାର ସୁଖୋଭି ନିକଟରେ ବିସ୍ଫୋରଣ ଘଟିଥିଲା। ଦୁର୍ଘଟଣା ଘଟିବା ସମୟରେ ପୀଡିତମାନେ ସୁଖୋଭିରୁ ସଂଲଗ୍ନ ଦିମାପୁର ସହରକୁ ଫେରୁଥିବା ସୂଚନା ମିଳିଛି। ପୋଲିସ ଡେପୁଟି କମିଶନର ନିଖୋ ଭେନୁହ ଘଟଣାସ୍ଥଳରୁ କହିଛନ୍ତି, “ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।” ଏହା ଏକ ଆଇଇଡି (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍) ବିସ୍ଫୋରଣ ହୋଇଥିବା ରିପୋର୍ଟ ରହିଛି। ନିଖୋ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ସେ ଆହୁରି କହିଛନ୍ତି ଯେ ଏକ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଇଛି। ଗତ ସପ୍ତାହରେ, ମଣିପୁରର ଉଖରୁଲ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଆସାମ ରାଇଫଲ୍ସର ଏକ ପାଟ୍ରୋଲିଂ ଦଳ ଉପରେ ଆମ୍ବୁସ ଲଗାଇ ୨ ଜଣ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣରେ ଆଉ କିଛି ସୈନିକ ମଧ୍ୟ ଆହତ ହୋଇଥିଲେ।
