ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଥାନା ଅଧୀନସ୍ଥ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଅବସ୍ଥିତ ପବିତ୍ର ହରିଶଙ୍କରରୁ ଜଳମହାଦେବ ଯାଉଥିବା ଜଙ୍ଗଲାଞ୍ଚଳ ରାସ୍ତା କଡରେ ଏକବ ସକାରାତ୍ମକ ଓ ମାନବିକ ପଦକ୍ଷେପ ଦେଖିବାକୁ ମିଳିଛି। ବିଭିନ୍ନ ଗଛରେ ପୋଷ୍ଟର ଲଗାଇ ମାଓବାଦୀମାନଙ୍କୁ ହିଂସାର ପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଛି। ସରକାରଙ୍କ ପୁନର୍ବାସ ଓ ପୁନର୍ସ୍ଥାପନ ନୀତିକୁ ଆଧାର କରି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ, ହିଂସାକୁ ପରିତ୍ୟାଗ କରି ସାଧାରଣ ଜୀବନରେ ଫେରିବା ପାଇଁ ମାଓବାଦୀମାନଙ୍କୁ ସୁଯୋଗ ଦେବାରେ ପୋଲିସ ଗୁରୁତ୍ୱ ଦେଇଛି। ପୋଷ୍ଟର ମାଧ୍ୟମରେ ସରକାରୀ ଯୋଜନା, ଆର୍ôଥକ ସହାୟତା ଓ ସମ୍ମାନଜନକ ପୁନର୍ବାସ ସୁବିଧା ବିଷୟରେ ଉଲ୍ଲେଖ କରି, ଭ୍ରମିତ ଯୁବକମାନଙ୍କୁ ସମାଜର ମୂଳ ଧାରାକୁ ଫେରାଇବାରେ ଆହ୍ୱାନ ଜଣାଯାଇଛି। ଏହି ଉଦ୍ୟମ ପୋଲିସର ମାନବିକ ଓ ସମନ୍ୱୟମୂଳକ ଚିନ୍ତାଧାରାକୁ ପ୍ରକାଶ କରୁଛି। ଗନ୍ଧମାର୍ଦ୍ଦନ ପରି ସମ୍ବେଦନଶୀଳ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ବିକାଶକୁ ସୁଦୃଢ଼ କରିବା ପାଇଁ ଏହାଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଖପ୍ରାଖୋଲ ପୋଲିସର ଏହି ପ୍ରୟାସ କେବଳ କାନୁନ-ଶୃଙ୍ଖଳା ରକ୍ଷାରେ ସୀମିତ ନୁହେଁ, ବରଂ ଶାନ୍ତି ଓ ସମାଜିକ ସମନ୍ୱୟ ସ୍ଥାପନାରେ ଏକ ଦୃଢ଼ ସନ୍ଦେଶ ଦେଉଛି। ହିଂସାର ପଥ ଛାଡ଼ି ସମ୍ମାନଜନକ ଜୀବନକୁ ବାଛିବା ପାଇଁ ଏହି ଆହ୍ୱାନ ନିଶ୍ଚୟ ଅଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଇଛି।
