ଶ୍ରୀନଗର: ସୋମବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର ଆରଏସ ପୁରାରେ ଥିବା ଏକ ବାଳ ନିରୀକ୍ଷଣ ଗୃହରୁ ୨ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୩ କଏଦୀ ଚମ୍ପଟ ମାରିଛନ୍ତି। ସେମାନେ ପୋଲିସ ଉପରେ ଆକ୍ରମଣ କରି ଖସି ଯିବାକୁ ସକ୍ଷମ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୫.୦୫ ସମୟରେ ଏହି ଘଟଣା ଘଟିଛି। ଏହି ଘଟଣାରେ ୨ ପୋଲିସ କର୍ମଚାରୀ, ଏସପିଓ ବିନୟ କୁମାର ଏବଂ ହେଡ୍ କନେଷ୍ଟବଳ ପରବୀନ କୁମାର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଫେରାର ହୋଇଥିବା କଏଦୀ ହେଲେ ଅହସାନ ଅନୱର ଏବଂ ମହମ୍ମଦ ସାନାଉଲ୍ଲା। ଉଭୟ ପାକିସ୍ତାନର ପଞ୍ଜାବ ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ଏହାଛଡ଼ା ଅନ୍ୟ କଏଦୀ ଜଣକ ହେଲେ ଜମ୍ମୁର ବାସିନ୍ଦା କରଣଜିତ ସିଂହ ଓରଫ ଗୁଗ୍ଗା। ମିଳିଥିବା ସୂଚନା ଅନୁସାରେ ୨ ପାକିସ୍ତାନୀ ବାଳକ ଅସାବଧାନତାବଶତଃ ଭାରତରେ ପ୍ରବେଶ କରିଥିଲେ ଏବଂ ସେମାନଙ୍କର ଆତଙ୍କବାଦୀ କାର୍ଯ୍ୟକଳାପ ସହିତ କୌଣସିି ସମ୍ପର୍କ ନଥିଲା। ପୋଲିସ ନାବାଳକମାନଙ୍କୁ ଖୋଜିବା ପାଇଁ ତଲାସ ଅଭିଯାନ ଆରମ୍ଭ କରିଛି।
