ପୁରୀ: ପୁରୀ ପୋଲିସ ପକ୍ଷରୁ ଜିଲାରେ ଆଇନ ଶୃଙ୍ଖଳା ଓ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ କରିବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୋଟ ୨୬ଟି ଜାଗାରେ ନାକା ଚେକିଂ ବ୍ୟବସ୍ଥା କରାଯାଇ ନିୟମିତ ଯାନବାହନ ତଦନ୍ତ କାର୍ଯ୍ୟଚାଲୁ ରହିଛି। ଜିଲ୍ଲାର ସମସ୍ତ ଥାନା ଅଧୀନ ଅଞ୍ଚଳରେ ପୋଲିସ ଟିମ୍ ଦ୍ୱାରା ଦୁଇଚକିଆ ଓ ଚାରିଚକିଆ ଯାନବାହନ ଉପରେ କଡ଼ା ଯାଞ୍ଚ କରାଯାଉଛି। ବିଶେଷ କରି ଦୁଇଚକିଆ ଯାନରେ ଟ୍ରିପଲ୍ ରାଇଡିଂ, ହେଲମେଟ୍ ବିନା ଚଳାଚଳ, ବିନା ଦଳିଲପତ୍ର, ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାରିଚକିଆ ଯାନବାହନର ମଧ୍ୟ ଦଳିଲପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରେନ୍ସ, ଫିଟନେସ୍ ସହ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି। ସନ୍ଦେହଜନକ ଯାନ ଓ ବ୍ୟକ୍ତିଙ୍କୁ ଚିହ୍ନଟ କରି ପଚରାଉଚରା କରାଯାଉଛି, ଯାହା ଫଳରେ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ ହେଉଛି। ଏହି ବିଶେଷ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ପୁରୀ ପୋଲିସ ସମସ୍ତ ଯାନଚାଳକଙ୍କୁ ଟ୍ରାଫିକ ନିୟମ ମାନିବାକୁ, ଆବଶ୍ୟକ ଦଳିଲପତ୍ର ସହ ଯାତ୍ରା କରିବାକୁ ଓ ସୁରକ୍ଷିତ ଡ୍ରାଇଭିଂ ପାଇଁ ଅନୁରୋଧ କରୁଛି।ଜନସାଧାରଣଙ୍କ ସହଯୋଗ ପୋଲିସଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ।
