ପୁରୀ: ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପରିଷଦର ଚତୁର୍ଦ୍ଦଶ ସାମ୍ବତ୍ସରିକ ସାରସ୍ୱତ ସମାରୋହ -୨୦୨୬ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ ପରିସରର ଜୟଦେବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରାବନ୍ଧିକ ପ୍ରଫେସର ଅଦ୍ୱେତ ଚରଣ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ପ୍ରାରମ୍ଭରେ ପଲ୍ଲୀପ୍ରାଣ ଆର୍ତ୍ତତ୍ରାଣ ମାନସିଂହ ଏବଂ କବି ରାମଚନ୍ଦ୍ର ସାହୁଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମଞ୍ଜୁଶ୍ରୀ ମିଶ୍ର ଶ୍ରୀଜଗନ୍ନାଥ ଅଷ୍ଟକମ ଗାନ କରିଥିବାବେଳେ ଓଡ଼ିଶା ସଂଗୀତ ପରିଷଦ ର କଳାକାର ମାନେ ସମବେତ ସ୍ୱାଗତ ସଂଗୀତ କରୁଛୁ ସ୍ୱାଗତ ହେ ପୂଜ୍ୟ ଅତିଥି’ ପରିବେଷଣ କରିଥିଲେ ।କବି ବିଜୟଲକ୍ଷ୍ମୀ ଦାଶ ମିଶ୍ର ଅତିଥି ପରିଚୟ ପ୍ରଦାନ ଏବଂ ସାଧାରଣ ସମ୍ପାଦକ ଶିଶୁ ସାହିତ୍ୟିକ ସତ୍ୟ ନାରାୟଣ ମିଶ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ସମାରୋହରେ ଉଦଘାଟକ ଭାବେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ବିଶେଷ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ଖ୍ୟାତିସମ୍ପନ୍ନ ଗୀତିକବି ଡକ୍ଟର ଧନଞ୍ଜୟ ସ୍ୱାଇଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସାହିତ୍ୟ ଏକ ଦର୍ପଣ । ସାହିତ୍ୟ ମାଟି ମଣିଷ ର କଥା କହେ । ସାହିତ୍ୟ ମନୁଷ୍ୟତ୍ୱ ନିର୍ମାଣ କରେ ଏବଂ ଉତ୍ତମ ବ୍ୟବହାର ଜ୍ଞାନ ଶିଖାଏ । କାବ୍ୟ ସଂସାରରେ କବି ହିଁ ଦ୍ରଷ୍ଟା, ସ୍ରଷ୍ଟା ଓ ପ୍ରଜାପତି । ସାହିତ୍ୟର ଗ୍ରାହକ କେବଳ ସହୃଦୟ ବ୍ୟକ୍ତି ବୋଲି ଅତିଥି ମାନେ ପ୍ରକାଶ କରିବା ସହିତ ଓଡ଼ିଆ ସାହିତ୍ୟର ମହନୀୟତା ଓ ସାହିତ୍ୟର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସାରସ୍ୱତ ମୁଖପତ୍ର ‘ସାତ ପାହାଚ’ ଏବଂ ସାହିତ୍ୟିକା ପ୍ରମୋଦା ଦେବୀ ଙ୍କ କବିତା ସଂକଳନ ମନର ମୋଜାଇକ ଲୋକାର୍ପିତ ହୋଇଥିଲା । ଏଥିସହ ସାହିତ୍ୟିକା ଡକ୍ଟର ତୁଳସୀ ଓଝା ଙ୍କୁ ‘ସାରସ୍ୱତ ସମ୍ମାନ’, କଣ୍ଠଶିଳ୍ପୀ କାର୍ତ୍ତିକ ଚନ୍ଦ୍ର ସାହୁ ଙ୍କୁ ସଂସ୍କୃତି ସମ୍ମାନ ଏବଂ ଶିଶୁସାହିତ୍ୟିକ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଙ୍କୁ ଶିଶୁ କିଶୋର ସାହିତ୍ୟ ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା । ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ କବି ଶ୍ୟାମ ପ୍ରକାଶ ସେନାପତି ଏବଂ କମଳ କୁମାର ଦାଶ ସଂଚାଳନ କରିଥିଲେ । ଦ୍ୱିତୀୟ ଅଧିବେଶନ ରେ ସ୍ୱରଚିତ କବିତା ଆସର ‘ମହ୍ଲାର’ ଅନୁଷ୍ଠିତ ହୋଇ ଏଥିରେ ପ୍ରଫେସର ପ୍ୟାରୀ ମୋହନ ପଟ୍ଟନାୟକ ଏବଂ କବି ଚିନ୍ମୟ ବିବେକ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଡକ୍ଟର ରୁଦ୍ର ପ୍ରସାଦ ମିଶ୍ର,ଡକ୍ଟର ସୂଦୀପ୍ତା ଓ ମନ୍ଦାକିନୀ ପଟ୍ଟନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଆସର ରେ ବହୁ କବି କବିତା ପାଠ କରିଥିଲେ । ପ୍ରଭାତ ଚଦ୍ର ରଥ, ସୋମ୍ୟ ରଞ୍ଜନ ମଲ୍ଲିକ, ସୁବ୍ରତ ଜେନା,ବିଜୟିନୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
