ପୁରୀ: ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ୨୦୨୬ ଅବସରରେ ଭକ୍ତମାନଙ୍କ ପାଇଁ ଏକ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ପରିବେଶ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପୁରୀ ପୋଲିସ ପକ୍ଷରୁ ଶନିବାର ଚାରୋଟି ସାହି ଅଞ୍ଚଳର ବିଭିନ୍ନ ସାହିର ମୁରବି ଓ ସେବାୟତମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଠସାହି ଅଞ୍ଚଳର ବିଭିନ୍ନ ସାହିର ପ୍ରତିନିଧିମାନେ ଯଥା ଧାନକୁଟି ସାହି, ବାଲିସାହି, ହରଚଣ୍ଡୀ ସାହି ଓ ଗୋଡ଼ବାଡ଼ ସାହିର ମୁରବିମାନେ ଉପସ୍ଥିତ ଥିଲେ। ଏହା ସହିତ ଅନେକ ସେବାୟତ, ସ୍ଥାନୀୟ ପ୍ରତିନିଧି ଓ ସମ୍ମାନୀୟ ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେଇଥିଲେ। ବୈଠକର ମୂଳ ଉଦ୍ଦେଶ୍ୟ ଥିଲା ରଥଯାତ୍ରା ସମୟରେ ଶ୍ରୀମନ୍ଦିର ପରିସର, ବଡଦାଣ୍ଡ ଓ ସମଗ୍ର ପୁରୀ ସହରରେ ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, ଯାତାୟାତ ପରିଚାଳନା, ଭକ୍ତମାନଙ୍କ ସୁବିଧା ଏବଂ ଆପତ୍କାଳୀନ ସହାୟତା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା। ବୈଠକରେ ବିଭିନ୍ନ ମୁଖ୍ୟ ବିଷୟ ଉପରେ ଗଭୀର ଆଲୋଚନା ହୋଇଥିଲା। ବିଶେଷ କରି ରଥଯାତ୍ରା ସମୟରେ ବହୁ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଯାତାୟାତ ସୁଚାରୁ ପରିଚାଳନା ଏବଂ ସମସ୍ତ ବ୍ୟବସ୍ଥାକୁ ଏକ ସମନ୍ୱିତ ପ୍ରୟାସ ମାଧ୍ୟମରେ ସଫଳ କରିବା ନେଇ ଆଲୋଚନା କରାଯାଇଥିଲା। ଏହି ସମନ୍ୱୟ ବୈଠକ ପୁରୀ ଏସପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିଟି ଡ଼ିଏସପି ରଶ୍ମିରଞ୍ଜନ ମହାପାତ୍ର, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ଟ୍ରାଫିକ ଥାନା ଅଧିକାରୀ ସଙ୍ଗୀତା ଦାସ, ସିଂହଦ୍ୱାର ଥାନା ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏସପି ପ୍ରତୀକ ସିଂ ତାଙ୍କ ଉଦବୋଧନରେ କହିଥିଲେ ଯେ, ରଥଯାତ୍ରା କେବଳ ପୁରୀର ନୁହେଁ, ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ଭକ୍ତିର ମହାପର୍ବ। ଏହି ବିଶାଳ ଆୟୋଜନକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ, ପ୍ରଶାସନ, ସେବାୟତ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ସମିଳିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ। ସେ ଆହୁରି କହିଥିଲେ ଯେ, ପୁରୀ ପୋଲିସ ପକ୍ଷରୁ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ମ୍ୟାନେଜମେଣ୍ଟ, ଆପାତକାଳୀନ ସହାୟତା ଓ ଭକ୍ତମାନଙ୍କ ସୁବିଧା ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତଙ୍କ ସହଯୋଗ ରହିଲେ ଏହି ମହାପର୍ବକୁ ଆହୁରି ସଫଳ ଭାବେ ପରିଚାଳନା କରାଯାଇପାରିବ।ଉପସ୍ଥିତ ମୁରବି ଓ ସେବାୟତମାନେ ପୁରୀ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ରଥଯାତ୍ରା ସମୟରେ ପୁରୀ ପୋଲିସ ଓ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ବୈଠକ ଶେଷରେ ସମସ୍ତଙ୍କ ମଧ୍ୟରେ ଏକ ସକାରାତ୍ମକ ମନୋଭାବ ଓ ପାରସ୍ପରିକ ସହଯୋଗର ସନ୍ଦେଶ ପ୍ରକାଶ ପାଇଥିଲା। ପୁରୀ ପୋଲିସ ରଥଯାତ୍ରା ୨୦୨୬ କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ସଦା ପ୍ରତିବଦ୍ଧ।
