ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ହୋଟେଲ୍ ରୁମ୍ ଭିତରେ ଜଣେ ଏୟାର୍ ଇଣ୍ଡିଆ ପାଇଲଟ୍ ମୃତ ଅବସ୍ଥାରେ ମିଳିଥିଲେ। ମୃତ୍ୟୁର ପରିସ୍ଥିତି ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି ଏବଂ ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। କ୍ୟାପଟେନ୍ ସନ୍ନି ଅସଲଦେକର୍ ଭାବେ ଚିହ୍ନଟ ହୋଇଥିବା ଏହି ବ୍ୟକ୍ତିଜଣକ ସେପ୍ଟେମ୍ବର ୧୦ ତାରିଖରେ “ଦି ଗ୍ରାଣ୍ଡ’ ନାମକ ଫାଇଭ୍-ଷ୍ଟାର୍ ହୋଟେଲରେ ରହିବା ପାଇଁ ପଞ୍ଜୀକରଣ କରିଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ସେ “ବୋଇଂ ୭୮୭’ କନଭର୍ସନ୍ ଟ୍ରେନିଂ ପାଇଁ ରାଜଧାନୀରେ ଥିଲେ। ଶୁକ୍ରବାର ଦିନ ଯେତେବେଳେ ପାଇଲଟଙ୍କ ଭାଇ ତାଙ୍କୁ ଫୋନ୍ କରିଥିଲେ, କେହି ଫୋନ୍ ଉଠାଇ ନଥିଲେ। ଏହାପରେ ତାଙ୍କ ଭାଇ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇଥିଲେ ବୋଲି ପୋଲିସ କହିଛି।
