ସିମଲା: ହିମାଚଳ ପ୍ରଦେଶରେ ଆସନ୍ତା କିଛିଦିନ ଯାଏ ପ୍ରବଳ ତୁଷାରପାତ ଓ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସାନି ସତର୍କତା ଜାରି କରିଛି। ରାଜ୍ୟରେ କିଛିଦିନ ହେଲା ପ୍ରବଳ ତୁଷାରପାତ ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାଘାତ ହୋଇଛି। ବିଶେଷ କରି ଖସଡ଼ା ରାସ୍ତା ଯୋଗୁଁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଅଟକି ରହିଛନ୍ତି। ଏହା ସହିତ ଟ୍ରାଫିକ୍ ଜାମ୍ ଓ ତୈଳ ଅଭାବ ସମସ୍ୟା ଦେଖାଦେଇଛି। ଆଇଏମଡି ସୂତ୍ରରୁ ପ୍ରକାଶ ଯେ, ରାଜ୍ୟରେ ଜାନୁଆରୀ ୨୬ ତାରିଖରେ ପଶ୍ଚିମା ଝଡ଼ର ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା କିଛିଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ତୁଷାରପାତ ସହ ତୁଷାରଝଡ଼ ଦେଖାଦେବ। ଆଇଏମଡି, ହିମାଚଳ ପ୍ରଦେଶ ଶାଖାର ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ଶର୍ମାଙ୍କ କହିବା ମୁତାବକ, ଗତ ରାତିରେ ରାଜ୍ୟରେ ପଶ୍ଚିମାଝଡ଼ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ସବୁ ଭାଗରେ ବର୍ଷା ହେଉଥିବା ବେଳେ ୩ରୁ ୪ଟି ଜିଲ୍ଳାରେ ବରଫ ପଡ଼ିଛି। ଶୁକ୍ରବାର ସକାଳେ କୁଲୁର କୋଥିରେ ସର୍ବାଧିକ ୧୫ ସେମିର ବରଫ ପଡ଼ିଥିବା ବେଳେ ହାମିରପୁରରେ ସର୍ବାଧିକ ୨୫ ମିମିର ବର୍ଷା ରେକର୍ଡ ହୋଇଛି। ଜାନୁଆରୀ ୨୬ ଓ ୨୮ ତାରିଖରେ ରାଜ୍ୟରେ ପ୍ରବଳ ତୁଷାରପାତ ନେଇ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଦିନର ତାପମାତ୍ରା ୯ରୁ ୧୦ ଡିଗ୍ରି ହ୍ରାସ ପାଇଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରତିକୂଳ ପାଗ ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ସହ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାକୁ ସାମନା କରିଛନ୍ତି।
ହିମାଚଳ ପ୍ରଦେଶରେ ଆଗକୁ ଅଧିକ ତୁଷାରପାତ; ସତର୍କତା ଜାରିକଲା ଆଇଏମ୍ଡି













Leave a Reply