ପୁରୀ: ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ବୁଧବାର ରଥ ନିର୍ମାଣର ୭୨ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ବୁଧବାର ତିନିରଥରେ ପଟା ପଡିବା ସହ ନୂତନ ସିଂହାସନ ମାଲ କାଠ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବଡ଼ଦାଣ୍ଡରେ ଅସୁମାରୀ ଭକ୍ତଙ୍କ ସମାଗମ ସତ୍ତ୍ୱେ ପ୍ରଭା ଫିଟିଙ୍ଗ ପାଇଁ ତିନିରଥରେ ଗୋଟିଏ ଗୋଟିଏ ଧୂଳି ଦଣ୍ଡା ଚଉଦ ନାହାକାରେ ବସିବା ସହ ନୂଆ ବ୍ରେକ ପୁଲିର ନିର୍ମାଣ ଶେଷ ହୋଇ ବ୍ରେକ ପୁଲିରେ ଲୁହା କଡା ଲାଗିବା ବାକି ରହିଥିଲା । ରତ୍ନ ସିଂହାସନରୁ ଓହ୍ଲାଇବା ଏବଂ ସିଂହାସନକୁ ବିଜେ ପାଇଁ ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ନୂଆ ଚାର ମାଲ। ଶାଳ କାଠର ଗୋଟିଏ ୩୦ ଫୁଟିଆ ମାଲ କାଠର ଚଉପଟ ଶେଷ ହୋଇଥିଲା । ଆଜି ଆଉ ଦୁଇଟି ଲେଖାଏଁ ମାଲ କାଠ ଚଉପଟ କାର୍ଯ୍ୟ ତିନି ରଥ ମହାରଣା ସେବକ ମାନେ ଜାରୀ ରଖିଛନ୍ତି।

ଆଜି ଶେଷ ହୋଇଛି ତାଳଧ୍ୱଜ ରଥର ଧୂଳି ଦଣ୍ଡା ଫିଟିଙ୍ଗ କାର୍ଯ୍ୟ, ଗତକାଲି ତାଳଧ୍ୱଜ ରଥର ଗୋଟିଏ ଧୂଳି ଦଣ୍ଡା ପ୍ରଭା ଫିଟିଙ୍ଗ ପାଇଁ ଚଉଦ ନାହାକା ରେ ଫିଟିଙ୍ଗ କରାଯାଇଥିଲା । ଆଜି ଦ୍ୱିତୀୟ ଧୂଳି ଦଣ୍ଡାକୁ ତାଳଧ୍ୱଜ ରଥରେ ମହାରଣା ସେବକ ଫିଟିଙ୍ଗ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।ରୂପକାର ସେବକ ମାନେ ତିନିରଥର ପ୍ରାଭାରେ ଖୋଦେଇ ରୂପ ରେ ଅନଙ୍କାର ପକା କାର୍ଯ୍ୟ ର ଶେଷ ସ୍ପର୍ଶ ସହ ରୂପ ଅଂଶ ଗୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି।ଚିତ୍ରକାର ସେବକ ମାନେ ତିନିରଥର ୨୪ ଗୋଟି ରୂପ ଖୋଦେଇ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ, ତିନିରଥ ପାର୍ଶ୍ୱ ଦେବ ଦେବୀ ପ୍ରତିମା ଗୁଡ଼ିକର ରଙ୍ଗ କାର୍ଯ୍ୟ, ତିନିରଥର କଳସ, ଠେକେରା ବାଡ଼, ବିତ୍ୟାଦିରେ ରଙ୍ଗ କାର୍ଯ୍ୟ ଶେଷ କରି, ତିନିରଥର ହଂସ ପଟା , କନ୍ୟା ପଟା ଏବଂ ରଥ ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନିରଥ ରେ ପ୍ରଭା ଫିଟିଙ୍ଗ ପାଇଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ ସହ ତିନିରଥର ନୂତନ କ୍ରେକ୍ ପୁଲି ପାଇଁ ଲୁହା କଡା ନିର୍ମାଣ ଜାରୀ ରଖିଛନ୍ତି।ତିନିରଥର ମହାରଣା ସେବକ ୭୭ଜଣ, ଭୋଇ ସେବକ ୭୬ଜଣ ,ରୂପକାର ସେବକ ୨୧ଜଣ , କରତୀ ସେବକ ୪ଜଣ, ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରୀଗର ୨ଜଣ ,ପାହି ମହାରଣା ୨ଜଣ , ଚିତ୍ରକାର ୪୦ଜଣ ,ରଥଖଳା ସହାୟକ ୧ଜଣ ମୋଟ ୨୪୩ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।
