ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

Spread the love

ପୁରୀ (ବ୍ୟୁରୋ) : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଆଗାମୀ ରଥଯାତ୍ରା ଅବସରରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ରଥ କାଠକୁ ନେଇ ବୈଠକରେ ଆଲୋଚନା ହୋଇଛି । ରଥ ନିର୍ମାଣ ପାଇଁ ସମସ୍ତ କାଠ କିଭଳି ଠିକ୍ ସମୟରେ ପହଞ୍ଚି ପାରିବ ସେନେଇ ଗୁରୁତ୍ୱ ଦିଆଯାଇଛି । ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନେଇ ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଡକାଯାଇଛି । ରତ୍ନ ଅଳଙ୍କାର ଗଣତି ମଣତି ନେଇ ପ୍ରସ୍ତୁତ ଏସଓପି ଉପରେ ବୈଠକରେ ଆଲୋଚନା ହେବ। ମହାପ୍ରଭୁ ବିଜେ ପୁରୀ ରାଜସ୍ୱ ଜମି ଉପରେ ମଧ୍ୟ ଆଲୋଚନା ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ମାଗଣାରେ ଜୋତା ଷ୍ଟାଣ୍ଡ ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ବସନ୍ତ ପଞ୍ଚମୀକୁ ଖୋଲିପାରେ ଗୁଣ୍ଡିଚା ମନ୍ଦିର। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପରେ ପ୍ରଥମ ତିନିଦିନ ନିଃଶୁକ୍ଳରେ ପ୍ରବେଶ କରିବେ ଭକ୍ତ । ଭକ୍ତ ନିବାସ ପାର୍କିଂ ବିବାଦ ନେଇ ପ୍ରତିକ୍ରିୟା ରଖି ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତ ନିବାସରେ ରୁମ୍ ଭଡ଼ା ବୃଦ୍ଧି କରାଯିବ ନାହିଁ । ଯେଉଁମାନେ ଭକ୍ତ ନିବାସରେ ରହିବା ପାଇଁ ଚାରିଚକିଆ ଆଣି ଆସୁଛନ୍ତି ସେମାନେ ଏହି ପାର୍କିଂ ଫି ଦିନକୁ ୫ଶହ ଟଙ୍କା ଦେବେ । ଅନ୍ୟ ବାହାର ଲୋକ କେହି ରଖି ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ । ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ। ଯେଉଁମାନେ ଚାହୁଁଛନ୍ତି ସେମାନେ ଅନ୍ୟ ପାର୍କିଂ ସ୍ଥଳରେ ଗାଡ଼ି ରଖି ଭକ୍ତ ନିବାସରେ ମଧ୍ୟ ରହିପାରିବେ । ସେହିପରି ଏପ୍ରିଲ୍ ୨୦୨୬ ମଧ୍ୟରେ ଶ୍ରୀମନ୍ଦିର ସହିତ ଜଡିତ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଓବିସିସିକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ବ୍ୟବସ୍ଥା ସୁଗମ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ପଦକ୍ଷେପ ନିଆଯିବ । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ଠାକୁରଙ୍କ ନୀତିକାନ୍ତିରେ ଯେଭଳି କୌଣସି ଅସୁବିଧା ନହେବ ତାକୁ ନେଇ ଗୁରୁତ୍ୱ ଦିଆଯାଇଛି । ଖୁବଶୀଘ୍ର ଶ୍ରୀମନ୍ଦିର ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!