କଟକ(ବ୍ୟୁରୋ): ପଲ୍ୟୁସନ ସାର୍ଟିଫିକେଟ୍ ଆଳରେ ଚାଲାଣ କଟିବାକୁ ନେଇ ଜନ ଅସନ୍ତୋଷ ବଢ଼ୁଥିବା ଦେଖି ଅବଧି ପରେ ଅବଧି ବଢ଼ାଇ ଚାଲିଛନ୍ତି ରାଜ୍ୟ ସରକାର । ଜାନୁଆରୀ ପରେ ମାର୍ଚ୍ଚ, ଆଉ ଏବେ ଏପ୍ରିଲ ଯାଏଁ ଗଲାଣି କଥା । ଏହାର ସୁଯୋଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ସୋସିଆଲ୍ ମିଡିଆରେ ସରକାରଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି ପୂର୍ବ ପ୍ରସ୍ତୁତି ନକରି ତରବରିଆ ଭାବେ ନିୟମ ଲାଗୁ କରି ଲୋକଙ୍କୁ ହଇରାଣ କରୁଛନ୍ତି । ଏଭଳି ବ୍ୟବସ୍ଥାକୁ ଇଂରେଜ ଶାସନ ସହ ତୁଳନା କରିଛନ୍ତି ପିସିସି ସଭାପତି । ଯାହାର କଡ଼ା ଜବାବ ରଖିଛି ବିଜେପି । ଏହା ଭିତରେ ପିୟୁସିସିକୁ ନେଇ ନୋଟିସ୍ କରିଛନ୍ତି ହାଇକୋର୍ଟ । ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ଜରିମାନା ଦେବାକୁ ହେବ, ଏଭଳି ନିୟମର ବୈଧତା ଉପରେ ପ୍ରଶ୍ନ ଉଠିଛି । ସଂଶୋଧିତ ମୋଟର ଭେହିକିଲ ଆକ୍ଟ ୨୦୧୯ ମୁତାବକ ଏଭଳି କୌଣସି ନିୟମ ନଥିବା ଦର୍ଶାଇ ହାଇକୋର୍ଟରେ ଦାୟର ହୋଇଛି ରିଟ୍ ପିଟିସନ । ଶୁକ୍ରବାର ଉକ୍ତ ଆବେଦନର ଶୁଣାଣି କରି ରାଜ୍ୟ ପରିବହନ ସଚିବ ଏବଂ ଏସଟିଏ କମିଶନରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ଆଜି ନିର୍ଦ୍ଦେଶ ହୋଇଛି । ଦାୟର ଆବେଦନରେ ଉଲ୍ଲେଖ ରହିଛି କି ଜଣେ ଭୁବନେଶ୍ୱର ବାସିନ୍ଦା ପୁରୀ ଯାଉଥିବା ବେଳେ ପିପିଲି ଟୋଲ ଗେଟରେ ତାଙ୍କର ଚାଲାଣ କଟିଛି । ବୈଧ ପଲ୍ୟୁସନ ସାର୍ଟିଫିକେଟ ନଥିବା କାରଣରୁ ଜରିମାନା ଦେବାକୁ କୁହାଯାଇଛି । ହେଲେ ସଂଶୋଧିତ ମୋଟର ଭେହିକିଲ ଆକ୍ଟ ମୁତାବକ ଏହି ଢଙ୍ଗରେ ଚାଲାଣ କଟାଯାଇ ପାରିବ ନାହିଁ । ବରଂ ଗାଡି କାରଣରୁ ଉଭୟ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ହେଉଥିବାର ପ୍ରମାଣ ଦେବାକୁ ହେବ । ଯଦି ଗାଡିର ପଲ୍ୟୁସନ ସାର୍ଟିଫିକେଟ ନାହିଁ, ତେବେ ଗାଡି ମାଲିକଙ୍କୁ ପ୍ରଥମେ ନୋଟିସ କରାଯିବ । ୭ ଦିନ ଭିତରେ ନିଜ ଗାଡିକୁ ପରୀକ୍ଷା କରାଇନେବା ଲାଗି ଆଇନରେ ପ୍ରାବଧାନ ରହିଛି । କିନ୍ତୁ ରାଜ୍ୟରେ ତାର ଖୋଲା ଉଲଂଘନ କରାଯାଉଛି, ଏବଂ ମନଇଚ୍ଛା ଚାଲାଣ କଟାଯାଉଥିବା ଆବେଦନକାରୀ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି ।
ପିୟୁସିସିକୁ ନେଇ ହାଇକୋର୍ଟଙ୍କ ନୋଟିସ୍; ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ















Leave a Reply