ଭୁବନେଶ୍ୱର(ବ୍ୟୁରୋ): ଓଡ଼ିଶାରେ ସୋଲାର ସେଲ୍ ମାନ୍ୟୁଫାକଚରିଂ ପ୍ଲାଣ୍ଟ ନିର୍ମାଣ କରିବ ଟାଟା ପାୱାର । ପ୍ରାୟ ୧୦ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଦ୍ୱାରା ୫ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରିବା ସହ ମୋଟ ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ପର୍ଯ୍ୟଟନ ନୀତିରେ ସଂଶୋଧନ ସହ ରାସନ କାର୍ଡ ପାଇଁ ଆୟସୀମାକୁ ମଧ୍ୟ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ।ରାଜ୍ୟରେ ଅକ୍ଷୟ ଶକ୍ତି ଓ ସବୁଜ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଟାଟା ପାୱାର ନବୀକରଣୀୟ ଶକ୍ତି ଲିମିଟେଡର(ଟିପିଆରଇଏଲ) ଏକ ବୃହତ୍ ସୋଲାର ସେଲ୍ ମାନ୍ୟୁଫାକଚରିଂ ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପ୍ରାୟ ୧୦ହଜାର କୋଟି ଟଙ୍କା ପୁଞ୍ଜିନିବେଶ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଟାଟା ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଠାରେ ଏହି ସମନ୍ୱିତ ଇନଗଟ୍-ୱେଫର ଓ ସୌର ସେଲ୍ ଉତ୍ପାଦନ ପ୍ରକଳ୍ପ ସ୍ଥାପିତ ହେବ । ଏହି ପ୍ରକଳ୍ପ ଦ୍ୱାରା ୫ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା କେବଳ ଓଡ଼ିଶାର ସୌର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବ ନାହିଁ, ବରଂ ୨୦୩୦ ସୁଦ୍ଧା ୧୦୦ ଜିଡବ୍ଲ୍ୟୁ ଘରୋଇ ସୌର ମଡ୍ୟୁଲ୍ ଉତ୍ପାଦନ କରିବାର ଭାରତର ଲକ୍ଷ୍ୟକୁ ହାସଲ କରିବାରେ ମଧ୍ୟ ସହାୟକ ହେବ । ଓଡ଼ିଶା ଭାରତର ସୌର ଶକ୍ତି ଉପକରଣ ଉତ୍ପାଦନର ଏକ ପ୍ରମୁଖ ହବ୍ ଭାବେ ଉଭା ହେବ । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରିବା ପାଇଁ “ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି-୨୦୨୬’କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ନିବେଶକଙ୍କ ସୁବିଧା ପାଇଁ ୩-ତାରକା ଓ ତଦୁର୍ଦ୍ଧ୍ୱ ତାରକା ବିଶିଷ୍ଟ ହୋଟେଲ ପାଇଁ ସର୍ବନିମ୍ନ କୋଠରୀ ସଂଖ୍ୟା ୫୦ରୁ ୧୦କୁ ହ୍ରାସ କରାଯାଇଛି । ପୁଞ୍ଜି ନିବେଶ ସବସିଡି ଢାଂଚାକୁ ସରଳୀକୃତ କରି ୩୦%ରୁ ୪୦% ପର୍ଯ୍ୟନ୍ତ ସହାୟତା ବ୍ୟବସ୍ଥା କରାଯାଇଛି ।ସେହିପରି ହୀରାକୁଦ, ସାତକୋଶିଆ, ଶିମିଳିପାଳ ଏବଂ ଭିତରକନିକା ଭଳି ଉଚ୍ଚସମ୍ଭାବ୍ୟ ପର୍ଯ୍ୟଟନ ସ୍ଥଳୀକୁ ସ୍ୱତନ୍ତ୍ର ଜୋନରେ ଅନ୍ତର୍ଭୁକ୍ତ କରାଯାଇଛି । ସଂଶୋଧିତ ପର୍ଯ୍ୟଟନ ନୀତି ଅନୁସାରେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ଦେଶର ୫ଟି ମେଟ୍ରୋ ସହର ସମେତ ଆଗ୍ରା, ବାରାଣସୀ ଭଳି ୫ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଆ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଆ ରେଷ୍ଟୁରାଂଟ ଖୋଲିବାକୁ ସରକାର ସହାୟତା ପ୍ରଦାନ କରିବେ । ରାସନକାର୍ଡ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହୋଇଛି ଓ ହିତାଧିକାରୀଙ୍କ ଆୟସୀମା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ରାସନକାର୍ଡର ବାଦ୍ ଦେବା ମାନଦଣ୍ଡରେ ପରିବାରର ମାସିକ ଆୟ ଗ୍ରାମାଞ୍ଚଳରେ ମାସିକ ଆୟ ୧୦ହଜାର ଟଙ୍କା ବଦଳରେ ୧୫ହଜାର ଟଙ୍କା ଓ ସହରାଂଚଳରେ ୧୫ହଜାର ପରିବର୍ତ୍ତେ ୨୦ହଜାର ଟଙ୍କା ସ୍ଥିର କରାଯାଇଛି । ଏହାଦ୍ୱାରା ଅନେକ ପ୍ରକୃତ ହିତାଧିକାରୀ ରାସନକାର୍ଡ ସୁବିଧାରୁ ବଂଚିତ ହେବେ ନାହିଁ ।ଗ୍ରାମାଂଚଳରେ ମାସିକ ୧୫ହଜାର ଓ ସହରାଂଚଳରେ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିବା ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ । ଏଥିସହ ମୃତ ବ୍ୟକ୍ତିଙ୍କ ନାମରେ ରାସନ ଉଠାଇବା ରୋକିବା ପାଇଁ କଠୋର ନିୟମ ଓ ଜୋରିମାନା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୃତ ହିତାଧିକାରୀଙ୍କ ନାମରେ ଜାଲିଆତି କରି ରାସନ ଉଠାଇଲେ ସଂପୃକ୍ତ ପରିବାରଠାରୁ ସାମଗ୍ରୀର ମୂଲ୍ୟ ଦେଢ଼ ଗୁଣ ହାରରେ ଆଦାୟ କରାଯିବାର କଠୋର ବ୍ୟବସ୍ଥା କରାଯାଇଛି ।ରାଜ୍ୟର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରିବା ପାଇଁ “ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ପର୍ଯ୍ୟାୟ-୨’ କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହି ୧୧୪୦ କୋଟି ଟଙ୍କାର ପ୍ରକଳ୍ପ ୨୦୨୫-୨୬ ରୁ ୨୦୨୯-୩୦ ମଧ୍ୟରେ କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ସହ ବ୍ରହ୍ମପୁରରେ ହ୍ସ୍ପିଟାଲିଟି ଓ ସାମୁଦ୍ରିକ କ୍ଷେତ୍ର ଏବଂ ସମ୍ବଲପୁରରେ କୃଷି-ପ୍ରଯୁକ୍ତିବିଦ୍ୟା ପାଇଁ ନୂତନ କ୍ୟାମ୍ପସ ସ୍ଥାପନ କରାଯିବ । ଏହାସହିତ ରାଜ୍ୟର ୫ଟି ସରକାରୀ ଆଇଟିଆଇକୁ “ଉତ୍କର୍ଷ ଆଇଟିଆଇ ଭାବେ ଉନ୍ନୀତ କରାଯିବ । ଏସବୁ ଦ୍ୱାରା ରାଜ୍ୟରେ ବାର୍ଷିକ ୬୦ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଉପକୃତ ହେବେ ।ଆପାର୍ଟମେଂଟ ମାଲିକଙ୍କ ଆର୍ôଥକ ବୋଝ ହ୍ରାସ କରିବାକୁ ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆପାର୍ଟମେଂଟ ସମୂହ ଅଂଚଳ(କମନ ଏରିଆ) ପଞ୍ଜିକରଣ ପାଇଁ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ପରିବର୍ତ୍ତେ ମାତ୍ର ୫୦ହଜାର ଟଙ୍କାର ନାମକୁ ମାତ୍ର ଶୁଳ୍ପ ଦେବାକୁ ପଡ଼ିବ ।ସେହିପରି ନୂତନ କେନ୍ଦ୍ରୀୟ ଆଇନ “ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩’ ସହ ତାଳ ମିଳାଇ ରାଜ୍ୟ ଅଭିଯୋଜନ ସେବା ନିୟମାବଳୀ୧୯୯୭ରେ ସଂଶୋଧନ କରାଯାଇଛି, ଯାହା ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ଗଠନ କରାଯିବ ।
ରାସନକାର୍ଡ ପାଇଁ ଆୟସୀମା ବୃଦ୍ଧି















Leave a Reply