ଭୁବନେଶ୍ୱର(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ୧୧ ବିଭାଗରେ ୧,୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହା ସହ ସେ ସଫଳତା ହାସଲ କରିଥିବା ସମସ୍ତ ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରେଳ ଅଡିଟୋରିୟମଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ୧୧ଟି ବିଭାଗର ୧,୫୪୩ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲି। ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସଫଳତା ପାଇଥିବା ସମସ୍ତ ଯୁବ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ; ଏହି ଯୁବ ଅଧିକାରୀମାନେ ହେଉଛନ୍ତି ଆମ ରାଜ୍ୟର ପ୍ରଗତିର ସାରଥି। ଆମ ସରକାର ଯୁବଶକ୍ତିଙ୍କୁ ସଶକ୍ତ କରିବା ପାଇଁ ସରକାରୀ ଚାକିରିର ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରିଥିବାବେଳେ, ଶିଳ୍ପାୟନ ମାଧ୍ୟମରେ ମଧ୍ୟ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ଆମର ଅଭିଯାନ ଜାରି ରହିଛି। ଏହି ନିଯୁକ୍ତି ପ୍ରକ୍ରିୟା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରତିଫଳନ।ଏହି ଅବସରରେ ମୁଁ ସମସ୍ତ ନବନିଯୁକ୍ତଙ୍କୁ ‘ସୁଶାସନ’ର ତିନୋଟି ମନ୍ତ୍ର – ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି। ଆମ ସରକାର ଦୁର୍ନୀତି ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା ନୀତି’ ଆପଣାଇଛନ୍ତି, ତେଣୁ କାର୍ଯ୍ୟର ପ୍ରଥମ ଦିନରୁ ହିଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ଠାର ସହ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଁ ସମସ୍ତଙ୍କୁ ଆହ୍ୱାନ କରିଛି। ନବନିଯୁକ୍ତମାନେ ଯେତେ ଦକ୍ଷତାର ସହ କାମ କରିବେ ଏବଂ ସାଧାରଣ ଲୋକଙ୍କୁ ସମ୍ମାନ ଦେବେ, ଆମେ ସେତେ ଶୀଘ୍ର ଏକ ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ହାସଲ କରିପାରିବା।
୧୧ ବିଭାଗରେ ୧,୫୪୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ‘ଦୁର୍ନୀତି କଲେ ସରକାର ଛାଡ଼ିବେନି’













Leave a Reply