ନୂଆଦିଲ୍ଲୀ: ଆରାବଳି ପର୍ବତମାଳାକୁ ନେଇ ଚାଲିଥିବା ବିବାଦ ଭିତରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ। ସୋମବାର ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ ଉପରେ ଲଗାଇଛନ୍ତି ରୋକ। ଏହା ସହ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ୨୦ ନଭେମ୍ବରରେ ଯେଉଁ ରାୟ ଦେଇଥିଲେ ତାହା ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଲାଗୁ ହେବ ନାହିଁ। ଆଉ ସେପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ବିସ୍ତୃତ ଭାବରେ ବିଚାର କରାଯିବ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣୀ ୨୧ ଜାନୁଆରୀରେ ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, କୋର୍ଟଙ୍କ ରିପୋର୍ଟ କିମ୍ବା ନିର୍ଦେଶ ଲାଗୁ କରିବା ପୂର୍ବରୁ ନିରପେକ୍ଷ ଓ ସ୍ୱତନ୍ତ୍ର ବିଶେଷଜ୍ଞଙ୍କ ରାୟ ଉପରେ ବିଚାର କରାଯିବା ଉଚିତ। ଆରାବଳୀ ରେଞ୍ଜର ପରିଭାଷା ସଠିକ ଭାବରେ ହେବା ଦରକାର ନଚେତ ପରିବେଶକୁ କ୍ଷତି ହୋଇପାରେ। ଆରାବଳି ବିବାଦରେ, ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ପାଞ୍ଚଟି ପ୍ରଶ୍ନ ପଚାରିଛନ୍ତି, ତାହା ହେଲା ଆରାବଳିର ପରିଭାଷାକୁ କେବଳ ୫୦୦ ମିଟର ଅଞ୍ଚଳ ସୀମିତ କରିବା କ’ଣ ଏକ ଗଠନମୂଳକ ବିରୋଧାଭାସ ସୃଷ୍ଟି କରେ, ଏହା ସଂରକ୍ଷଣର ପରିସରକୁ ସଂକୁଚିତ କରେ କି ? କ’ଣ ଏହାଦ୍ୱାରା ଅଣ-ଆରାବଳି ଅଞ୍ଚଳର ପରିସର ବଢିଛି, ଯେଉଁଠାରେ ନିୟନ୍ତ୍ରିତ ଖଣିକୁ ଅନୁମତି ଦିଆଯାଇପାରିବ? ଯଦି ଦୁଇଟି ଆରାବଳି ଅଞ୍ଚଳ ୧୦୦ ମିଟର କିମ୍ବା ତା’ଠାରୁ ଅଧିକ ଦୂରରେ ଥାଏ ଏବଂ ସେମାନଙ୍କ ମଧ୍ୟରେ ୭୦୦ ମିଟର ବ୍ୟବଧାନ ଥାଏ, ତେବେ ସେହି ବ୍ୟବଧାନରେ ନିୟନ୍ତ୍ରିତ ଖଣିକୁ ଅନୁମତି ଦିଆଯିବା ଉଚିତ କି? ପ୍ରାକୃତିକ ସମ୍ବଳ ବା ଇକୋଲୋଜିକାଲ୍ କଂଟିନ୍ୟୁଟିକୁ ିପରି ସୁରକ୍ଷିତ ରଖାଯିବ? ଯଦି ନିୟମରେ ଏକ ପ୍ରମୁଖ ଆଇନଗତ କିମ୍ବା ନିୟାମକ ବ୍ୟବଧାନ ମିଳେ, ତେବେ ଆରାବଳି ପର୍ବତମାଳାର ଗଠନମୂଳକ ଶକ୍ତି ବଜାୟ ରଖିବା ପାଇଁ ଏକ ବିସ୍ତୃତ ମୂଲ୍ୟାଙ୍କନ ଆବଶ୍ୟକ ହେବ କି? ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେ.କେ. ମହେଶ୍ୱରୀ ଏବଂ ଜଷ୍ଟିସ୍ ଏ.ଜି. ମସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।
ଆରାବଳି ବିବାଦ : ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ ଜାନୁଆରୀ ୨୧ରେ ପରବର୍ତ୍ତୀ ଶୁଣାଣ















Leave a Reply