୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କ୍ରୟକୁ ମଞ୍ଜୁରୀ

Spread the love

ନୂଆଦିଲ୍ଲୀ: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ତିନି ସେନା ପାଇଁ ପ୍ରାୟ ୭୯,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ସ୍ଥଳସେନା ପାଇଁ ଶତ୍ରୁର ଶକ୍ତିଶାଳୀ ଲକ୍ଷ୍ୟକୁ ସଠିକ ଭାବେ ଭେଦ କରିବା ପାଇଁ ଲୋଇଟର ମ୍ୟୁନିସନ୍ ସିଷ୍ଟମ, କମ୍ ଉଚ୍ଚତାରେ ଉଡୁଥିବା ଶତ୍ରୁ ଡ୍ରୋନ୍ ଚିହ୍ନଟ ପାଇଁ ହାଲୁକା ଓଜନର ରାଡାର। ପିନାକା ରକେଟ୍ ସିଷ୍ଟମ ପାଇଁ ଅଧିକ ଦୂରଗାମୀ ଏବଂ ସଠିକ ଲକ୍ଷ୍ୟଭେଦୀ ଗାଇଡେଡ୍ ରକେଟ୍ ଆମୁନିସନ୍ ରହିଛି।ନୌସେନା ପାଇଁ ସମୁଦ୍ର ମଧ୍ୟରେ ଜାହାଜ ଓ ସବ୍‌ମାରିନ୍‌ର ଗତିବିଧିକୁ ସହଜ କରିବା ପାଇଁ ବୋଲାର୍ଡ ପୁଲ୍ ଟଗ୍‌ସ। ସୁରକ୍ଷିତ ଯୋଗାଯୋଗ ପାଇଁ ହାଇ-ଫ୍ରିକ୍ୱେନ୍ସି ସଫ୍ଟୱେୟାର ରେଡିଓ। ଭାରତ ମହାସାଗରରେ ତୀକ୍ଷ୍ଣ ନଜର ରଖିବା ପାଇଁ ଦୂରଗାମୀ ଡ୍ରୋନ୍ ଲିଜ୍‌ରେ ନିଆଯିବ। ସେହିପରି ଭାରତୀୟ ବାୟୁସେନା ପାଇଁ ବିମାନର ସୁରକ୍ଷିତ ଅବତରଣ ଓ ଉଡ଼ାଣ ରେକର୍ଡିଂ ପାଇଁ ଅଟୋମେଟିକ୍ ଟେକ୍‌-ଅଫ୍ ଲ୍ୟାଣ୍ଡିଂ ରେକର୍ଡିଂ ସିଷ୍ଟମ। ଶତ୍ରୁ ପକ୍ଷର ବିମାନକୁ ଦୂରରୁ ନଷ୍ଟ କରିବା ପାଇଁ ଅତ୍ୟାଧୁନିକ ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ର। ପାଇଲଟ୍‌ମାନଙ୍କୁ ତାଲିମ ଦେବା ପାଇଁ ତେଜସ ବିମାନର ଫୁଲ୍ ମିଶନ ସିମୁଲେଟର ସାମିଲ ରହିଛି।ଏହି ସମସ୍ତ ଅତ୍ୟାଧୁନିକ ଉପକରଣ ଓ ପ୍ରଯୁକ୍ତିବିଦ୍ୟା ଭାରତୀୟ ସଶସ୍ତ୍ର ବାହିନୀର କ୍ଷମତାକୁ ବୃଦ୍ଧି କରିବା ସହ ସୀମା ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!