ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ: ତିନୋଟି ପର୍ଯ୍ୟାୟରେ ହେବ ଗଣତିମଣତ

Spread the love

ପୁରୀ(ବ୍ୟୁରୋ) :ରତ୍ନ ଅଳଙ୍କାର ଗଣତିମଣତି ନେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ୩ ପର୍ଯ୍ୟାୟରେ ଗଣତି ମଣତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ସମସ୍ତ ତର୍ଜମା ପରେ ଏସ୍‌ଓପି ପ୍ରସ୍ତୁତ କରାଯିବ । ଏହି ଏସ୍‌ଓପିକୁ ଅନୁମୋଦନ ପାଇଁ ରାଜ୍ୟସରକାରଙ୍କ ନିକଟକୁ ପଠାଯିବ । ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ରତ୍ନଭଣ୍ଡାର ଗଣତିମଣତି ହେବ । ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ଭଣ୍ଡାରର, ଦ୍ୱିତୀୟ ପର୍ଯ୍ୟାୟରେ ବାହାର ଭଣ୍ଡାର ତଥା ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ । ଏହି ଗଣତିମଣତି ସମୟରେ ଆରବିଆଇର ଜଣେ ଅଧିକାରୀ ରହିବେ । ଏସ୍‌ବିଆଇର ଜଣେ ଅଧିକୃତ ବଣିଆ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଗଣତିମଣତି ସମୟରେ ଭକ୍ତମାନେ ବାହାର କାଠ ନିକଟରେ ଛିଡ଼ାହୋଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବେ । ମୁଖ୍ୟତଃ ଏସ୍‌ଓପି ଉପରେ ସମସ୍ତ କାର୍ଯ୍ୟ କରାଯିବ । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆଲୋଚନା କରାଯାଉଛି । ତେବେ ଆଗକୁ ଇଂରାଜୀ ନବବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଉକ୍ତ ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହୋଇନପାରେ । ଏଣୁ ବୈଠକରେ ଆସନ୍ତା ଜାନୁଆରୀ ମାସରେ କେଉଁ ତାରିଖରେ ରତ୍ନ ଭଣ୍ଡାର ଖୋଲିବ ସେନେଇ ତିଥି, ବାର ସହ ମାହେନ୍ଦ୍ର ବେଳ ସ୍ଥିର କରାଯିବ । ସେପଟେ ଗଣତିମଣତି ସମୟରେ ଅଳଙ୍କାରର ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କ ଦର୍ଶନ କେତେ ସମୟ ପର୍ଯ୍ୟନ୍ତ ବନ୍ଦ କରାଯିବ ତାହା ମଧ୍ୟ ସ୍ଥିରିକୃତ କରାଯି୍ୱବ । ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦନ ହେବାପରେ ଖୋଲିବ ରତ୍ନଭଣ୍ଡାର । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ । ୧୯୭୮ ମସିହାର ମେଳକ ସହ ଗଣତି ମଣତି କରାଯିବ । ମାର୍ଗଦର୍ଶିକା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏସପି ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!