ବାରିପଦା /କରଞ୍ଜିଆ ; କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ବନାଞ୍ଚଳର ଦରି ସେକ୍ସନ ଅନ୍ତର୍ଗତ ପୁରୁଣା ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଅପରାହ୍ନରେ ଏକ ହାତୀ ଶାବକର ମୃତଦେହ ଠାବ ହୋଇଛି। ସ୍ଥାନୀୟ ଲୋକମାନେ ଜଙ୍ଗଲ ମଧ୍ୟରେ ଶାବକଟିର ମୃତଦେହ ପଡ଼ିଥିବା ଦେଖି ଦରି ସେକ୍ସନର ବନପାଳ ଲକ୍ଷ୍ମୀ ମହାନ୍ତଙ୍କୁ ଖବର ଦେଇଥିଲେ।ସୂଚନା ପାଇ ବନପାଳ ଶ୍ରୀମତୀ ମହାନ୍ତ ଅନ୍ୟ ବନରକ୍ଷୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଶାବକଟିର ମୃତ୍ୟୁ ହୋଇଥିବା ନିଶ୍ଚିତ କରିଥିଲେ। ପରେ ଏ ସମ୍ପର୍କରେ ଦୁଧିଆଣୀ ବନାଞ୍ଚଳ ଅଧିକାରୀ ମହାବୀର ସିଂ ମୁର୍ମୁ, କରଞ୍ଜିଆ ସହକାରୀ ବନ ସଂରକ୍ଷକ ପ୍ରଭାତ କୁଅଁର ଏବଂ କରଞ୍ଜିଆ ବନଖଣ୍ଡ ଅଧିକାରୀ ଅଜୟ କୁମାର ସାହୁଙ୍କୁ ଅବଗତ କରାଯାଇଥିଲା।ଖବର ପାଇ ଉଚ୍ଚପଦସ୍ଥ ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରେ ହାତୀ ଶାବକଟିର ପେଟ ନିକଟରେ ଏକ ବଡ଼ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ତେବେ ଶାବକଟିର ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତ ହାତୀ ଶାବକଟି କିଛି ଦିନ ପୂର୍ବରୁ ଜନ୍ମ ନେଇଥିବା ଅନୁମାନ କରାଯାଉଛି। ଘଟଣାକୁ ନେଇ ବନ ବିଭାଗ ସତର୍କ ହୋଇପଡ଼ିଥିବା ବେଳେ ବନଖଣ୍ଡରେ ବର୍ତ୍ତମାନ ମୋଟ ୫୫ଟି ହାତୀ ଥିବାର ସୂଚନା ମିଳିଛି। ସେଥିମଧ୍ୟରୁ କରଞ୍ଜିଆ ବନାଞ୍ଚଳରେ ୨୨ଟି, ଦୁଧିଆଣୀ ବନାଞ୍ଚଳରେ ୩୨ଟି ଏବଂ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରେ ଗୋଟିଏ ଦନ୍ତା ହାତୀ ରହିଥିବା ଜଣାପଡ଼ିଛି। ବନ ବିଭାଗ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
