ବାରିପଦା /କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଧୀନ କରଞ୍ଜିଆ, ଦୁଧିଆଣୀ ଓ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରେ ବର୍ତ୍ତମାନ ହାତୀ ଉପଦ୍ରବ ଲାଗିରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଦୁଧିଆଣୀ ବନାଞ୍ଚଳର ଦରି ସେକ୍ସନ ଅନ୍ତର୍ଗତ ପୁରୁଣା ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଅବସ୍ଥାନ କରୁଥିବା ୨୫ଟିକିଆ ଝାଡ଼ଖଣ୍ଡୀ ହାତୀପଲ ମଙ୍ଗଳବାର ରାତି ସମୟରେ ବାକରତଳା ଗ୍ରାମରେ ପଶି ଉତ୍ପାତ ସୃଷ୍ଟି କରିଥିଲେ। ହାତୀପଲ ଗ୍ରାମର ମୋହନ ପ୍ରସାଦ ମହାନ୍ତଙ୍କ ଘରର କବାଟ ଓ କାନ୍ଥ ଭାଙ୍ଗି ଭିତରେ ରଖାଯାଇଥିବା ଧାନ, ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ନଷ୍ଟ କରିଥିବା ଜଣାପଡ଼ିଛି।ହାତୀମାନେ ଘର ଭାଙ୍ଗୁଥିବା ଦେଖି ମୋହନ ମହାନ୍ତଙ୍କ ପରିବାର ଲୋକେ ପଛପଟ କବାଟ ଦେଇ ପ୍ରାଣ ବିକଳରେ ଘରୁ ବାହାରି ପଳାଇ ନିଜ ଜୀବନ ରକ୍ଷା କରିଥିଲେ। ଘଟଣା ପରେ ହାତୀପଲ ପୁଣିଥରେ ପୁରୁଣା ଦେଓଗାଁ ସଂରକ୍ଷିତ ଜଙ୍ଗଲକୁ ଫେରିଯାଇଥିବା ସୂଚନା ମିଳିଛି।ଯଦିଓ ବନ ବିଭାଗର କର୍ମଚାରୀମାନେ ହାତୀପଲର ଗତିବିଧି ଉପରେ ସତର୍କ ନଜର ରଖିଛନ୍ତି, ତଥାପି ହାତୀଙ୍କ ଦ୍ୱାରା ହେଉଥିବା କ୍ଷୟକ୍ଷତିକୁ ରୋକିବାରେ ବିଭାଗ ବିଫଳ ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ ବନ ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ପରିବାରକୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ହାତୀପଲର ନିରନ୍ତର ଗତିବିଧିକୁ ଦୃଷ୍ଟିରେ ରଖି ବାକରତଳା ଓ ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
