ପୁରୀ: ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ଓ ମହାପ୍ରଭୁଙ୍କ ସୁବିଧାଜନକ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ଜନସଚେତନତା ପଦଯାତ୍ରା ଆଜି ୨୨୦ ଦିନରେ ପହଞ୍ଚିଛି। ଗତ ଉତ୍କଳ ଦିବସ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ପୁରୀବାସୀ ଏକତ୍ରିତ ହୋଇ ନିଜର ନ୍ୟାଯ୍ୟ ଅଧିକାର ପାଇଁ ଦାବି ଉପସ୍ଥାପନ କରୁଛନ୍ତି। ଦୀର୍ଘ ୨୨୦ ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିଲେ ମଧ୍ୟ ଏଯାବତ୍ ଦାବିର ସ୍ଥାୟୀ ସମାଧାନ ହୋଇପାରିନାହିଁ। ତଥାପି ଆନ୍ଦୋଳନକାରୀଙ୍କ ଦୃଢ଼ ମନୋବଳ ଓ ଅଧିକାର ହାସଲର ସଂକଳ୍ପ ଅଟଳ ରହିଛି। ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଶ୍ରୀମନ୍ଦିର ପୁରୀବାସୀଙ୍କ ଆସ୍ଥା, ଭାବାବେଗ, ପରମ୍ପରା ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ନିଜ ସହରରେ ଥିବା ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ଥାନୀୟ ନାଗରିକମାନେ ଯେପରି ସମ୍ମାନଜନକ ଓ ସୁବିଧାଜନକ ବ୍ୟବସ୍ଥା ପାଇପାରିବେ, ସେଥିପାଇଁ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

ଏହା କୌଣସି ବିଶେଷ ସୁବିଧାର ଦାବି ନୁହେଁ, ବରଂ ପୁରୀବାସୀଙ୍କ ନ୍ୟାଯ୍ୟ ଅଧିକାର ଓ ଭାବନା ସହ ଜଡ଼ିତ ବିଷୟ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗାନ୍ଧୀବାଦୀ ଅହିଂସା, ସତ୍ୟ ଓ ସତ୍ୟାଗ୍ରହର ପଥରେ ଆନ୍ଦୋଳନ ଜାରି ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶୁକ୍ରବାର ଏହି ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ଅଞ୍ଜୁବାଳା ମହାନ୍ତି, ଭାରତୀ ମହାନ୍ତି, ମମତା ଦାସ, ସୀତା ନାୟକ, ମମତା ସ୍ୱାଇଁ, ଜଗଦାନନ୍ଦ ରାୟ, କିଶୋର ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାନ୍ତି, ପ୍ରକାଶ ଚନ୍ଦ୍ର ନାୟକ, ସନ୍ତୋଷ ସେନାପତି, ଶିଶିରକାନ୍ତ ଶତପଥୀ, ବାପିନା ସାମନ୍ତରାୟ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସଚେତନ ନାଗରିକ ସାମିଲ ହୋଇଥିଲେ।
