କଟକ: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ। ଜଣେ ଜମି ମାଲିକଙ୍କଠାରୁ ବକେୟା ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି। ଏହା ପୂର୍ବରୁ ସେ ସମ୍ପୃକ୍ତ ଜମି ମାଲିକଙ୍କଠାରୁ ୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏହିପରି ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସମ୍ପୃକ୍ତ ଜମି ମାଲିକଙ୍କ ଜମି ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଇଥିଲା। ଏ ବାବଦରେ ତାଙ୍କୁ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ମିଳିବାର ଥିଲା। ତେବେ କ୍ଷତିପୂରଣ ପ୍ରଦାନ ସହ ଭବିଷ୍ୟତରେ ତୃତୀୟ ରେଳଲାଇନ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମୟରେ ଅନୁକୂଳ ସହାୟତା ଯୋଗାଇଦେବାର ପ୍ରଲୋଭନ ଦେଖାଇ ଅଧିକାରୀ ଜଣକ ୫ ଲକ୍ଷ ୧୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି।ଗତ ଅକ୍ଟୋବର ୨୭ ତାରିଖରେ ଅଜୟ କୁମାର ଗଡ଼ନାୟକ ଜମି ମାଲିକଙ୍କଠାରୁ ୨ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ। ଏହାପରେ ବକେୟା ୩ ଲକ୍ଷ ୧୦ ହଜାର ଟଙ୍କା ଶୀଘ୍ର ଦେବାକୁ ଚାପ ପକାଇଥିଲେ। ଟଙ୍କା ନଦେଲେ ଭବିଷ୍ୟତରେ ତୃତୀୟ ରେଳଲାଇନ ପାଇଁ ଜମି ଅଧିଗ୍ରହଣ କ୍ଷତିପୂରଣ ପାଇବାରେ ସମସ୍ୟା ସୃଷ୍ଟି ହେବ ବୋଲି ଧମକ ଦେଇଥିବା ଜମି ମାଲିକ ଅଭିଯୋଗ କରିଛନ୍ତି। ଏଥିରେ ଅତିଷ୍ଠ ହୋଇ ଜମି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ, ଆଜି ସେ ବକେୟା ୩ ଲକ୍ଷ ୧୦ ହଜାର ଟଙ୍କା ଦେବାବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଅଜୟ କୁମାର ଗଡ଼ନାୟକଙ୍କୁ ଧରିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନୋଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
