ବାରିପଦା; ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନାର ସାଂଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ହୋଇଛି। ଭଞ୍ଜସେନାର ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ ଭାବେ ଦୀପକ କୁମାର ମହାନ୍ତ (ଦକ୍ଷିଣା)ଙ୍କୁ ମନୋନୀତ କରିଛନ୍ତି ସଂଗଠନର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା। ଏହି ନିଯୁକ୍ତି ପରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଅଞ୍ଚଳର ଭଞ୍ଜସେନା କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ସଂଗଠନର କର୍ମକର୍ତ୍ତାମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ନବନିଯୁକ୍ତ ଜିଲ୍ଲା ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଞ୍ଜସେନା ଦୀର୍ଘଦିନ ଧରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଜନସମସ୍ୟା, ଆଞ୍ଚଳିକ ସ୍ୱାର୍ଥ, ଯୁବକ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ତଥା ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କିତ ପ୍ରସଙ୍ଗରେ ନିଜର ସ୍ୱର ଉତ୍ତୋଳନ କରିଆସୁଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂଗଠନର ନେତୃତ୍ୱ ଦାୟିତ୍ୱ ଦୀପକ କୁମାର ମହାନ୍ତଙ୍କୁ ପ୍ରଦାନ କରାଯିବାକୁ ସାଂଗଠନିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ତାଙ୍କ ନେତୃତ୍ୱରେ ଜିଲ୍ଲାରେ ସଂଗଠନର କାର୍ଯ୍ୟକଳାପ ଅଧିକ ବ୍ୟାପକ ହେବା ସହ ଯୁବସମାଜକୁ ସାମାଜିକ କାର୍ଯ୍ୟଧାରାରେ ଯୋଡ଼ିବା ଦିଗରେ ନୂଆ ଉଦ୍ୟମ ହେବ ବୋଲି ଆଶା ପ୍ରକାଶ ପାଇଛି। ଏହି ନିଯୁକ୍ତିକୁ ଉପଖଣ୍ଡ ସଭାପତି ମାଇକେଲ ମହାନ୍ତ, କାର୍ଯ୍ୟକାରୀ ସଭାପତି ସୋମୁ ଦାଶଅଧିକାରୀ, ଯଶିପୁର ବ୍ଲକ ସଭାପତି ରୁକ୍ମଣ ନାଏକ, ବବଲୁ ସେଠୀ, ଗଗନ ମହାନ୍ତ, ହୀରାଲାଲ ମହାନ୍ତ, ଖଗେଶ୍ୱର ମହାନ୍ତ, ଶୁକୃଳି ବ୍ଲକ ସଭାପତି ସୁବାଷ ନାୟକ ଏବଂ ରରୁଆଁ ବ୍ଲକ ସଭାପତି ବିଶାଳ ସୁଲତାନୀୟା ପ୍ରମୁଖ ସ୍ୱାଗତ କରିଛନ୍ତି। ସେମାନେ ସଂଗଠନର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇବା ସହ ନୂତନ ଜିଲ୍ଲା ଅଧ୍ୟକ୍ଷଙ୍କ ନେତୃତ୍ୱରେ ଭଞ୍ଜସେନା ଆଗାମୀ ଦିନରେ ଅଧିକ ସକ୍ରିୟ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ନବନିଯୁକ୍ତ ଜିଲ୍ଲା ଅଧ୍ୟକ୍ଷ ଦୀପକ କୁମାର ମହାନ୍ତ (ଦକ୍ଷିଣା) ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ଉପରେ ଅର୍ପିତ ଦାୟିତ୍ୱକୁ ସେ ନିଷ୍ଠା, ସାହସ ଓ ଦୃଢ଼ତାର ସହ ନିର୍ବାହ କରିବେ। ମୟୂରଭଞ୍ଜ ଜିଲ୍ଲାର ସ୍ୱାର୍ଥ, ସ୍ୱାଭିମାନ ଓ ସାମଗ୍ରିକ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇ ସଂଗଠନର କାର୍ଯ୍ୟଧାରାକୁ ଆଗକୁ ନେବେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ଜନସମସ୍ୟା ଓ ଅବହେଳାର ପ୍ରସଙ୍ଗଗୁଡ଼ିକୁ ନେଇ ଭଞ୍ଜସେନା ନିଜର ଆନ୍ଦୋଳନକୁ ଆହୁରି ଜୋରଦାର କରିବ। ବିଶେଷକରି ଦୁର୍ନୀତି, ଅନ୍ୟାୟ ଓ ଜନସାଧାରଣଙ୍କ ସ୍ୱାର୍ଥବିରୋଧୀ କାର୍ଯ୍ୟକଳାପ ବିରୋଧରେ ସଂଗଠନର ଲଢ଼େଇ ନିରନ୍ତର ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାର ଯୁବକ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସଂଗଠନ ସବୁବେଳେ ଲୋକଙ୍କ ପାଖରେ ରହିବ। ଜିଲ୍ଲାର ନ୍ୟାୟସଙ୍ଗତ ଦାବି ଓ ଅଧିକାର ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ, ପ୍ରତିବାଦ ଓ ଜନସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନିଆଯିବ। ଏଥିପାଇଁ ସମସ୍ତ କର୍ମକର୍ତ୍ତା ଓ ଯୁବସମାଜର ସହଯୋଗ କାମନା କରିଛନ୍ତି। ନୂତନ ଜିଲ୍ଲା ଅଧ୍ୟକ୍ଷଙ୍କ ନିଯୁକ୍ତିକୁ ନେଇ ଭଞ୍ଜସେନାର କର୍ମକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି
