ବାରିପଦା; ଆସନ୍ତା ଫେବୃୟାରୀ ମାସରେ ଆୟୋଜିତ ହେବାକୁ ଥିବା ଅଷ୍ଟମ ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ରଚଳଚ୍ଚିତ୍ର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ବାରିପଦାର ମୁର୍ଗାବାଡ଼ିସ୍ଥିତ ଟ୍ରାଇବାଲ ଥିଏଟର ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି ଓ ସାନ୍ତାଳୀ ଆର୍ଟ ଆଣ୍ଡ ଫିଲ୍ମ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଦୀପକ କୁମାର ବେଶ୍ରା, ସମ୍ପାଦକ ଅନ୍ତା ଆଲୋକ ବାସ୍କେ, ଫାଉଣ୍ଡେସନର ମିଡିଆ ସଂଯୋଜକ ତଥା ମହୋତ୍ସବର ପରାମର୍ଶଦାତା ସୋମନାଥ ସିଂହ, ସିଡିପିଓ ବିଟୁ ଟୁଡୁ, ସହକାରୀ ପ୍ରଫେସର ଡ. ଯତିନ ବେସ୍ରା ଏବଂ ତକତପୁର ଆଇଟିଆଇର ଅଧ୍ୟକ୍ଷ ଇଂ. କନ୍ଦନ ମାଝୀଙ୍କ ସମେତ ମହୋତ୍ସବର କାର୍ଯ୍ୟକାରୀ ଦଳର ସଦସ୍ୟା ସୁମି ହାଁସଦା ବେଶ୍ରା, ସୁମାଲି ମୁର୍ମୁ ହେମ୍ବ୍ରମ, ଅର୍ଜୁନ ସୋରେନ, ପାଲୁ ହେମ୍ବ୍ରମ, ବନମାଳୀ ମୁର୍ମୁ, ଗୁଲଶନ ମହାନ୍ତ ଓ ବିଦୁ ଚନ୍ଦନ ମୁର୍ମୁ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଦୀପକ କୁମାର ବେଶ୍ରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସର୍ବସମ୍ମତିକ୍ରମେ ଆସନ୍ତା ବର୍ଷ ଫେବୃଆରୀ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ମହୋତ୍ସବ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ଓ ଚଳିତ ମହୋତ୍ସବରେ ଦେଶର ବିଭିନ୍ନ ଆଦିବାସୀ ସମୁଦାୟର ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ପାରମ୍ପରିକ ଆଦିବାସୀ ଖାଦ୍ୟ ମହୋତ୍ସବ ଏବଂ ହସ୍ତଶିଳ୍ପ ମେଳା ଆୟୋଜନ କରାଯିବ। ମୁଖ୍ୟ ଚଳଚ୍ଚିତ୍ର ମହୋତ୍ସବ ସହିତ ଏହି ଦୁଇଟି କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଚାଲିବ। ଏହାଦ୍ୱାରା ଆଦିବାସୀ ସମୁଦାୟର ସମୃଦ୍ଧ ଖାଦ୍ୟ ପରମ୍ପରା, ହସ୍ତଶିଳ୍ପ ଓ ସାଂସ୍କୃତିକ ପରିଚୟକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସ୍ଥାନୀୟ କାରିଗର ଓ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ନିଜ କଳା ଓ ପରମ୍ପରା ପ୍ରଦର୍ଶନ କରିବାର ସୁଯୋଗ ମିଳିବ ଓ ପ୍ରକାଶ ଥାଉକି ସନ୍ତାଳୀ ଆର୍ଟ ଆଣ୍ଡ ଫିଲ୍ମ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ୨୦୧୭ ମସିହାରୁ ପ୍ରତିବର୍ଷ ବାରିପଦାଠାରେ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାଯାଇଆସୁଛି ଓ ଆଦିବାସୀ ସମାଜର କାହାଣୀ, ଜୀବନଶୈଳୀ, ସଂସ୍କୃତି, ପରମ୍ପରା ଓ ସମସାମୟିକ ସମସ୍ୟାକୁ ଚଳଚ୍ଚିତ୍ର ମାଧ୍ୟମରେ ପ୍ରକାଶ କରିବା ସହ ଆଦିବାସୀ ଚଳଚ୍ଚିତ୍ର ନିର୍ମାତାଙ୍କୁ ଉତ୍ସାହିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଓ ଆସନ୍ତା ଅଷ୍ଟମ ସଂସ୍କରଣକୁ ସଫଳ କରିବା ପାଇଁ ବୈଠକରେ ବିଭିନ୍ନ ପ୍ରସ୍ତୁତିମୂଳକ ଦିଗ ଉପରେ ଆଲୋଚନା କରାଯାଇଥିଲା।
