ବାରିପଦା: ଦୁଷ୍କର୍ମ ମାମଲାରେ ଆସିଛି କୋର୍ଟଙ୍କ ବଡ ରାୟ। ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାରିପଦା ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକସୋ କୋର୍ଟ ବିଚାରପତି। ଏଥିସହ ୨୦ ହଜାର ଟଙ୍କା ଜରିମାନା, ଏବଂ ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବିଚାରପତି। ବାରିପଦା ପୋକ୍ସୋ ଆକ୍ଟ ଅଧୀନସ୍ଥ ଏଡହକ ସ୍ୱତନ୍ତ୍ର କୋର୍ଟର ବିଚାରପତି ଏହି ମାମଲାର ବିଚାର କରି ଆଜି ଅଭିଯୁକ୍ତ ସରୋଜ କୁମାର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣା ଅନୁଯାୟୀ, ୨୦୨୫ ମସିହା ମେ ୨ ତାରିଖ ରାତିରେ କୁଳିଅଣା ଥାନା ଅଞ୍ଚଳର ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଘରୁ ଡାକି ନେଇଥିଲେ ଅଭିଯୁକ୍ତ ସରୋଜ। ପରେ କୁଳିଅଣା ବଜାର ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ତାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଚିତ୍କାର ଶୁଣି ଜଣେ ସ୍ଥାନୀୟ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ପକ୍ଷରୁ କୁଳିଅଣା ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ୮୧/୪.୫.୨୦୨୫ ନମ୍ବରରେ ମାମଲା ଦାଖଲ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି କୋର୍ଟ ସରୋଜ କୁମାର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଭାତ କୁମାର ବେହେରା ଏହି ମାମଲାର ପରିଚାଳନା କରୁଥିଲେ।
