ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏଠାରେ ଟେଲିଭିଜନ ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି। ଶନିବାର ଦିନ ଏକ ଟ୍ୱିଟ୍ରେ ୫୬ ବର୍ଷୀୟ ଓମାର ଲେଖିଛନ୍ତି, “ଗତକାଲି ଏକ ନୂଆ ଯାତ୍ରା ଆରମ୍ଭ ହେଲା…’ ଏବଂ ଏଥିରେ ସେ ନିଧିଙ୍କୁ ଟ୍ୟାଗ୍ କରିଛନ୍ତି। ଏହି ଟ୍ୱିଟ୍ରେ ଦମ୍ପତିଙ୍କର ଚାରୋଟି ଫଟୋ ରହିଥିଲା। ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଦିନ ଏଠାରେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ଅଧୀନରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ବିବାହ ସମୟରେ ଉଭୟ ପକ୍ଷର ପରିବାର ସଦସ୍ୟମାନେ ସାକ୍ଷୀ ଭାବରେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜୁଲାଇ ମାସରେ, ଉଭୟଙ୍କ ମଧ୍ୟରେ ଏକ ବୁଝାମଣା ହେବା ପରେ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଓମାର ଏବଂ ତାଙ୍କ ପ୍ରଥମ ପତ୍ନୀ ପାୟଲଙ୍କ ବିବାହ ବିଚ୍ଛେଦ ହୋଇଥିଲା। ୪୯ ବର୍ଷୀୟା ନିଧିଙ୍କ ପାଇଁ ଏହା ହେଉଛି ଦ୍ୱିତୀୟ ବିବାହ। ଶ୍ରୀନଗର ଏବଂ ନୂଆଦିଲ୍ଲୀରେ ଆୟୋଜିତ ବିବାହ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପରିବାରବର୍ଗ ଏବଂ ଘନିଷ୍ଠ ସମ୍ପର୍କୀୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅବଦୁଲ୍ଲାଙ୍କ ପିତାମାତା – ଫାରୁକ୍ ଅବଦୁଲ୍ଲା ଓ ମଲି, ତାଙ୍କର ତିନି ଭଉଣୀ ଏବଂ ଅନ୍ୟ ଘନିଷ୍ଠ ସମ୍ପର୍କୀୟଙ୍କ ସହ ନିଧିଙ୍କ ପିତାମାତା ବରିଷ୍ଠ ସାମ୍ବାଦିକ ଏମ୍. କେ. ରାଜଦାନ ଓ ସର୍ଲା ରାଜଦାନ ମଧ୍ୟ ଉପସ୍ଥିତ ଥିଲେ।
