ବାରାଣସୀ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଦିନ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର “ଉତ୍ତର କରିଡର’କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ଅନେକ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବୁଲେଟ୍ ଟ୍ରେନ୍ ନିର୍ମାଣ କାର୍ଯ୍ୟର ସମସ୍ତ ଉପାଦାନ – ସ୍ତମ୍ଭଠାରୁ ଆରମ୍ଭ କରି ଗାର୍ଡର ପର୍ଯ୍ୟନ୍ତ – ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ ନିର୍ମିତ ହେବ। ସେ କହିଲେ, ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହା ସମ୍ପୂର୍ଣ୍ଣ ରୂପେ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ହେବ ଏବଂ ଏହାକୁ ଭାରତର ଯୁବକ ଓ ୱେଲ୍ଡରମାନେ ନିର୍ମାଣ କରିବେ। ବାରାଣସୀ ଓ ନୂଆଦିଲ୍ଲୀ ମଧ୍ୟରେ ନୂତନ ବନ୍ଦେ ଭାରତ ସ୍ଲିପର୍ ଏକ୍ସପ୍ରେସ୍ ସେବାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ବୈଷ୍ଣବ କହିଲେ, ପ୍ରଧାନମନ୍ତ୍ରୀ ବୁଲେଟ୍ ଟ୍ରେନ୍ର ଉତ୍ତର କରିଡରକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ବୁଲେଟ୍ ଟ୍ରେନ୍ ନେଇ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୂରଦୃଷ୍ଟି ରହିଛି, ତାହା ଯୁବକ, ମଧ୍ୟମ ଆୟକାରୀ ବର୍ଗ ଏବଂ କ୍ଷୁଦ୍ର ଶିଳ୍ପ ସହ ଜଡ଼ିତ କାରିଗରମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏହି ପଦକ୍ଷେପ ପାଇଁ ଲୋକମାନେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମନେ ରଖିବେ। ସେ ଉତ୍ତର କରିଡରର ମାର୍ଗ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଲେ ଯେ ଏହା ଦିଲ୍ଲୀ, ଆଗ୍ରା, କାନପୁର, ଲକ୍ଷ୍ନୌ, ଅଯୋଧ୍ୟା, ବାରାଣସୀ, ପ୍ରୟାଗରାଜ, ପାଟନା ଓ ଶିଲିଗୁଡ଼ିକୁ ସଂଯୋଗ କରିବ ଏବଂ ଗୁୱାହାଟୀ ପର୍ଯ୍ୟନ୍ତ ବିସ୍ତାରିତ ହେବ। ବୈଷ୍ଣବଙ୍କ ଅନୁଯାୟୀ, ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ: ଦିଲ୍ଲୀରୁ କାନପୁର ଯିବା ପାଇଁ ୧ ଘଣ୍ଟା ୪୫ ମିନିଟ୍, ଦିଲ୍ଲୀରୁ ଆଗ୍ରା ପାଇଁ ୫୯ ମିନିଟ୍ ଏବଂ ଦିଲ୍ଲୀରୁ ଲକ୍ଷ୍ନୌ ପାଇଁ ୨ ଘଣ୍ଟା ୧୨ ମିନିଟ୍ ସମୟ ଲାଗିବ। ଏହା ବ୍ୟତୀତ, ଲକ୍ଷ୍ନୌରୁ ବାରଣାସୀ ଯିବା ପାଇଁ ୧ ଘଣ୍ଟା ୨୧ ମିନିଟ୍ ଏବଂ ବାରଣାସୀରୁ ଦିଲ୍ଲୀ ଯିବା ପାଇଁ ୩ ଘଣ୍ଟା ୩୫ ମିନିଟ୍ ସମୟ ଲାଗିବ।
