ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ । ରଥଖଳାରେ ତିନିରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଶୁକ୍ରବାର ରଥ ନିର୍ମାଣର ୩୯ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତିନିରଥର ପାଞ୍ଚଦଣ୍ଡାର ନିର୍ମାଣ କାର୍ଯ୍ୟ ତଥା ମୁଖ ସାଲ ଶେଷ ହୋଇ ପାର୍ଶ୍ୱ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ତିନିରଥର ଚେଚିସ ବା ଦଣ୍ଡା ଫ୍ରେମ୍ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ତିନି ରଥର ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ ପରେ ଆଗ ଆଣି ମୁହଁଟ ରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ଆଣି ମୁହାଁଟ ରେ ତିନିଗୋଟି ଜଳଯନ୍ତ୍ର ଏବଂ ଦୁଇପାର୍ଶ୍ୱରେ ଗୋଟିଏ ଗୋଟିଏ କୋଣ ଗୁଜ ଉଠି ସେହି ଗୁଜ ଉପରେ ନିରାଡି ସଂଯୋଗ ହୋଇଅଛି। ବାକି ରହିଛି ପାଞ୍ଚ ଦଣ୍ଡାର ଦୁଇ ପଟରେ କୁଡିକା ସଂଯୋଗ ହୋଇ ପାର୍ଶ୍ୱ ଦଣ୍ଡା ସଂଯୋଗ କାର୍ଯ୍ୟ ହୋଇଛି । ଆରମ୍ଭ ହେଲା ପୋଲ ଗୟଳ ର ଚଉପଟ କାର୍ଯ୍ୟ ।

କରତୀ ସେବକ ମାନେ ଚିରଟ କରି ଯୋଗାଇ ଦେଇଥିବା ୪୦ ଫୁଟିଆ ପୋଲ ଗୟଳ ର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି ନନ୍ଦିଘୋଷ ରଥ ଏବଂ ତାଳ ଧ୍ୱଜ ରଥ ମହାରଣା ସେବକ ମାନେ।ରୂପକାର ସେବକ ମାନେ ତିନିରଥର ସାଲ ଗୁଜ ରେ ରୂପ ଖୋଦେଇ ଶେଷ କରି ତୀଖ ଗୁଜ ଗୁଡିକରେ ରୂପ ଖୋଦେଇ ର ଶେଷ ସ୍ପର୍ଶ ଦେଉଛନ୍ତି ଏଥିସହ ରୂପକାର ସେବକ ମାନେ ଆଜି ଆରମ୍ଭ କରିଛନ୍ତି ତିନି ରଥର ବେଦୀ ସିଂହାସନ ମୁହାଁଟି ର ଖୋଦେଇ କାର୍ଯ୍ୟ । ଉକ୍ତ ବେଦୀ ସିଂହାସନ ମୁହଁଟି ର ମଝିରେ ପୁର୍ଣ୍ଣ କୁମ୍ଭ, କୁମ୍ଭ ଦୁଇପାଶ୍ୱରେ ମତ୍ସ୍ୟ, ମୟୂର ଏବଂ ଡାଳି ଲତା ଚିତ୍ର ଅଙ୍କନ କରି ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି । କରତୀ ସେବକ ମାନେ ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଶେଷ ପରେ ଆଜି ଦର୍ପଦଳନ ରଥ ର ୪୦ ଫୁଟିଆ ପୋଲ ଗୟଳ ର ଚଉପଟ ପୂର୍ବରୁ ଉଭୟ ପାର୍ଶ୍ୱ କୁ ବାରିସି ରେ ହାଣି ସମତଳ କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା ସହ ପୋଟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ତଥା ରଥଯାତ୍ରା ସେବା ନୀତି ତଥା ପୂଜାର୍ଚ୍ଚନା ପାଇଁ ବେଶ୍ ଘୋଡ଼ିଆ ଏବଂ ଫୁଲ ଚାଙ୍ଗଡ଼ା ଫ୍ରେମ୍ ନିର୍ମାଣ ଜାରୀ ରଖିଛନ୍ତି।
