ପୁରୀ: ମା’ ଗଜଲକ୍ଷ୍ମୀଙ୍କ ଆରାଧନାରେ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର। ପୁରୀ ସହରର ବିଭିନ୍ନ ସ୍ଥାନରେ ବ୍ୟବସାୟୀ ସଂଘଗୁଡ଼ିକ ପକ୍ଷରୁ ମା’ଙ୍କ ପୂଜାର୍ଚ୍ଚନା ଆୟୋଜନ କରାଯାଇଛି। ଏହି କ୍ରମରେ ମା’ କାକୁଡ଼ିଖାଇ ବ୍ୟବସାୟୀ ସଂଘ ପକ୍ଷରୁ କାକୁଡ଼ିଖାଇ ଛକ ନିକଟରେ ଆକର୍ଷଣୀୟ ଢଙ୍ଗରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି।ଦୀର୍ଘ ୧୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସଂଘର କର୍ମକର୍ତ୍ତାମାନେ ଶ୍ରଦ୍ଧା ଓ ଭକ୍ତିର ସହ ମା’ଙ୍କ ପୂଜା କରିଆସୁଛନ୍ତି। ଚଳିତ ବର୍ଷ ସଂଘର ସଭାପତି ପୁରୁଷୋତ୍ତମ ପଣ୍ଡା ଓ ସମ୍ପାଦକ କାବୁ ରଣାଙ୍କ ନେତୃତ୍ୱରେ ପୂଜାର ଆୟୋଜନ କରାଯାଇଛି।ଏଠାରେ ମା’ଙ୍କ ମୂର୍ତ୍ତିକୁ ସମ୍ପୂର୍ଣ୍ଣ ରୁପା ତାରକସି କାରୁକାର୍ଯ୍ୟରେ ସୁସଜ୍ଜିତ କରାଯାଇଛି। ରୁପା ତାରକସିର ମନୋରମ ସାଜସଜ୍ଜା ଭକ୍ତ ଓ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି। ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ଅନେକ ଶ୍ରଦ୍ଧାଳୁ ଓ ପୁରୀ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ସମାଗମ ହେଉଛି।ଆସନ୍ତା ୨୯ ତାରିଖରେ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଥିବାବେଳେ ନଭେମ୍ବର ୨ ତାରିଖରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯିବ। ମା’ଙ୍କ ଆରାଧନା ଓ ରୁପା ତାରକସିର ଅନନ୍ୟ କଳାକୃତିକୁ ନେଇ କାକୁଡ଼ିଖାଇ ଛକ ଏବେ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି।
