ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଉପଲକ୍ଷେ ଏକ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ଶାସନ ବ୍ୟବସ୍ଥା ଗଠନ ତଥା ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ନିର୍ମୂଳ କରିବା ଉଦ୍ଦେଶ୍ୟରେ ଚଳିତ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୦୧ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଉଛି। ଚଳିତ ବର୍ଷ ଏଥିପାଇଁ “ସାଧୁତାରୁ ସମୃଦ୍ଧି’ ବାର୍ତ୍ତାସ୍ଥିର କରାଯାଇଛି।
ଆଜି ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ଆୟୋଜିତ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ ଚନ୍ଦ୍ର ନାଏକ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳାଇ, ଡିଏସପି, ଦୁର୍ନୀତି ନିବାରଣ, ଫୁଲବାଣୀ ଶାଖା ଶ୍ରୀ ହେମନ୍ତ କୁମାର ମହାନ୍ତି ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଉପସ୍ଥିତ ରହିଥିଲେ।

ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ଷେତ୍ରରେ ସାଧୁତା, ସ୍ୱଚ୍ଛତା ଓ ନିଷ୍ଠା ବଜାୟ ରଖିବା ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ।
ଅପରାହ୍ନ ୧:୦୦ ଘଟିକା ସମୟରେ ଗୁଗଲ ମିଟ୍ ମାଧ୍ୟମରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ଏହି ସପ୍ତାହବ୍ୟାପୀ ଜିଲ୍ଲାର ସମସ୍ତ ବ୍ଲକ୍, ତହସିଲ, ପଞ୍ଚାୟତ ତଥା ଶିକ୍ଷାନୁଷ୍ଠାନଗୁଡ଼ିକରେ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଦୁର୍ନୀତି ବିରୋଧରେ ଜାଗ୍ରତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବ। ଏହା ସହ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଆସନ୍ତା ଅକ୍ଟୋବର ୩୧ ତାରିଖରେ ପଞ୍ଚାୟତ ଭବନ ପରିସରରେ ପାଳନ କରାଯିବ। ଏହି ଅବସରରେ ଏକ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ପଞ୍ଚାୟତ ଭବନ ପର୍ଯ୍ୟନ୍ତ ଯିବ।ଏକ ସୁସ୍ଥ ଓ ନିର୍ମଳ ସମାଜ ଗଠନ ପାଇଁ ପ୍ରଶାସନ ସହ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି।
