କାକଟପୁର /ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବର୍ଷା ପବନ କାଳ ସାଜିଛି। ଅସ୍ତରଙ୍ଗ ବ୍ଲକ ଜେନାପୁର ଗ୍ରାମରେ ମଙ୍ଗଳବାର ସକାଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବର୍ଷା ହେଉଥିବା ବେଳେ ଘର ନିକଟରେ ଥିବା ଏକ ଭଣ୍ଡା ଗଛ ହଠାତ୍ ଭାଙ୍ଗି ରୋଷେଇ ଘର କାନ୍ଥ ଉପରେ ପଡିଯିବାରୁ ୪୦ ବର୍ଷୀୟା ଲୋଭବତୀ ମୁଦୁଲିଙ୍କର କରୁଣ ମୃତ୍ୟୁ ଘଟିଛି। ଯାହା ସୂଚନା ମିଳିଛି, ମଙ୍ଗଳବାର ସକାଳ ସମୟରେ ଅସ୍ତରଙ୍ଗ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହେଉଥିଲା। ଜେନାପୁର ଗ୍ରାମର ଲୋଭବତୀ ମୁଦୁଲି ନିଜ ରୋଷେଇ ଘରେ କାମ କରୁଥିବା ବେଳେ ଘର ନିକଟରେ ଥିବା ବଡ ଭଣ୍ଡା ଗଛଟି ପବନରେ ଭାଙ୍ଗି ସିଧା ଘର ଉପରେ ପଡିଥିଲା। ଗଛ ପଡିବାର ପ୍ରଚଣ୍ଡ ଶବ୍ଦରେ ରୋଷେଇ ଘରର କାନ୍ଥ ଭୁଶୁଡି ପଡିଥିଲା। ଲୋଭବତୀ କାନ୍ଥ ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ଚିତ୍କାର ଶୁଣି ପରିବାର ଲୋକେ ଓ ପଡୋଶୀ ଧାଇଁ ଆସି ତାଙ୍କୁ ଉଦ୍ଧାର କରିଥିଲେ।ମୁଣ୍ଡ, ଛାତି ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା। ଆମ୍ବୁଲାନ୍ସ ନ ମିଳିବାରୁ ପରିବାର ଲୋକେ ଏକ ବେସରକାରୀ ଗାଡି ଯୋଗାଡ କରି ତୁରନ୍ତ ଭୁବନେଶ୍ୱର ନେଇଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା, ଭୁବନେଶ୍ୱର ନେବା ବାଟରେ ବା ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଜେନାପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗାଁରେ ବର୍ଷା ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ବିପଦଜନକ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତ ଲୋଭବତୀଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି। ସନ୍ଧ୍ୟା ସୁଦ୍ଧା ପ୍ରଶାସନ ମୃତକ ଙ୍କ ଘରେ ପହଂଚି ନଥିବା ସୂଚନା।
