ଖପ୍ରାଖୋଲ: ପ୍ରେମର ନାଁରେ ଜଣେ ଯୁବତୀଙ୍କ ଭାବନା ସହ ଖେଳି, ବିଶ୍ୱାସକୁ ଚୁର୍ଣ୍ଣବିଚୂର୍ଣ୍ଣ କରିଦେଇଥିବା ଅଭିଯୁକ୍ତ ବ୍ୟାଙ୍କ କର୍ମଚାରୀ ନରେନ୍ଦ୍ର ଭୋଇ ଶେଷରେ ଆଇନର ଜାଲରୁ ପଳାଇ ପାରିଲେ ନାହିଁ। ଦୀର୍ଘଦିନ ଧରି ଫେରାର ରହି ନିଜ ଦୋଷକୁ ଆଉ ଗଭୀର କରିଥିବା ନରେନ୍ଦ୍ର ଭୋଇ ମଙ୍ଗଳବାର ପାଟଣାଗଡ଼ କୋର୍ଟରେ ସରେଣ୍ଡର କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମର ନରେନ୍ଦ୍ର ଭୋଇ ପୂର୍ବରୁ ଖପ୍ରାଖୋଲ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ କେସିଅର ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ଖପ୍ରାଖୋଲ ବ୍ଲକ କଲୋନୀର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରେ ବଦଳି ହୋଇ ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ତାଲପାଲି ଷ୍ଟେଟ ବ୍ୟାଙ୍କ ଶାଖାକୁ ଯିବା ପରେ ଯୁବତୀଙ୍କୁ ଧୀରେଧୀରେ ପ୍ରତାରଣା କରି ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ନେଇଥିବା ଅଭିଯୋଗ ହୋଇଥିଲା। ନ୍ୟାୟ ପାଇଁ ପୀଡିତା ଖପ୍ରାଖୋଲ ଥାନାର ଦ୍ୱାରସ୍ଥ ହେବା ପରେ ଖପ୍ରାଖୋଲ ଥାନା କେସ ନଂ ୬୩/୨୦୨୬ ଅନୁଯାୟୀ ଈଘଝ ର ଧାରା ୬୯, ୩୫୧(୨), ୩(୫) ସହିତ ଝଉ ଌ ଝଞ (ଅତ୍ୟାଚାର ନିରୋଧ) ଆଇନର ଧାରା ୩(୧)(କ୍ସ)(ଗ୍ଦ) ଓ ୩(୨)(ଙ୍ଖ) ଅନୁସାରେ ମାମଲା ରୁଜୁ କରାଯାଇଥିଲା। ମାମଲା ରୁଜୁ ହେବା ପରେ ନରେନ୍ଦ୍ର ଭୋଇ ଦୀର୍ଘଦିନ ଧରି ଫେରାର ରହିଥିବା ବେଳେ, ଶେଷରେ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ନେଇ ମଙ୍ଗଳବାର ପାଟଣାଗଡ଼ କୋର୍ଟରେ ସରେଣ୍ଡର କରିଥିଲେ।କିନ୍ତୁ ଆଇନ ସମ୍ମୁଖରେ ତାଙ୍କ ଚାଳାକି ଟିକି ପାରିଲା ନାହିଁ। କୌଣସି କାରଣବଶତଃ ଜାମିନ ଖାରିଜ ହେବା ପରେ କୋର୍ଟ ଅଭିଯୁକ୍ତ ନରେନ୍ଦ୍ର ଭୋଇଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜଣାପଡିଛି। ଏହି ଘଟଣା ପୁଣିଥରେ ସମାଜ ଆଗରେ ଏକ କଠୋର ସତ୍ୟକୁ ଉଜାଗର କରିଛି—ଉଚ୍ଚ ପଦବୀ ଓ ଚାକିରି ଥିଲେ ମଧ୍ୟ ସମସ୍ତଙ୍କ ପାଖରେ ମାନବିକତା ଓ ନାରୀ ସମ୍ମାନ ପ୍ରତି ସଚେତନତା ନଥାଏ। ଯେଉଁ ବ୍ୟକ୍ତି ଲୋକଙ୍କ ଟଙ୍କା ଓ ବିଶ୍ୱାସର ରକ୍ଷା କରିବାକୁ ଥିବା ସଂସ୍ଥାରେ କାମ କରୁଥିଲେ, ସେହି ବ୍ୟକ୍ତିଙ୍କ ଉପରେ ପ୍ରେମର ନାଁରେ ପ୍ରତାରଣା, ଭାବନା ସହ ଖେଳ ଏବଂ ସାମାଜିକ ଅପମାନର ଅଭିଯୋଗ ଲାଗିବା ନିଶ୍ଚୟ ନିନ୍ଦନୀୟ। ସମାଜରେ ଏପରି ଲୋକଙ୍କ ପାଇଁ ପ୍ରେମ କେବଳ ଏକ ମନୋରଞ୍ଜନର ଖେଳ ହୋଇପଡ଼ିଛି, ଯେଉଁଠାରେ ଜଣେ ନିର୍ଦ୍ଦୋଷ ଯୁବତୀଙ୍କ ସ୍ୱପ୍ନ, ଭାବନା ଓ ସମ୍ମାନକୁ ନିର୍ମମଭାବେ ଭାଙ୍ଗି ଦିଆଯାଉଛି। ଏପରି ଘଟଣା ସମାଜରେ ଯୁବପିଢ଼ୀ ପାଇଁ ଭୟଙ୍କର ଭୁଲ ସନ୍ଦେଶ ଦେଉଥିବା ବେଳେ, ଆଇନର କଡ଼ା କାର୍ଯ୍ୟାନୁଷ୍ଠାନ ହିଁ ଏହାର ଏକମାତ୍ର ଉଚିତ ଉତ୍ତର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
