ପୁରୀ: ଅର୍ଣ୍ଣବ ବାତ୍ୟାର ପ୍ରଭାବ ପୁରୀରେ ଦେଖିବାକୁ ମିଳିଛି । ଆଜି ସକାଳୁ ସମୂଦ୍ର ଅଶାନ୍ତ ରୂପ ଧାରଣ କରିଛି । ବଡ ବଡ ଜୁଆର ଢେଉ ସମୁଦ୍ରକୂଳ ଲଙ୍ଘୁଛି । ସମୂଦ୍ରକୂଳରେ ଥିବା ଉଠାଦୋକାନୀ ମାନେ ସେମାନଙ୍କ ପସରା ଉପରକୁ ଉଠାଇ ଦେଇଛନ୍ତି । ସମୁଦ୍ର ର ସୁ ସୁ ଗର୍ଜନ ଶୁଭୁଛି । ତୁହାକୁ ତୁହା ବର୍ଷା ଜନଜୀବନ କୁ ବ୍ଯତିବ୍ଯସ୍ତ କରିଛି । ପର୍ଯ୍ୟଟକ ମାନେ ହୋଟେଲରେ ରହି ସମୂଦ୍ରର କରାଳ ରୂପ ଦେଖୁଛନ୍ତି । ବାତ୍ଯା ଯୋଗୁ ହଜାର ହଜାର ଶାମୁକା ସମୁଦ୍ରକୂଳ ବାଲି ଉପରକୁ ଉଠି ଆସିଛନ୍ତି । ପେଣ୍ଠକଟା ମତ୍ସ୍ୟଜୀବୀ ମାନେ ଡଙ୍ଗା ଓ ଜାଲ ଉପରକୁ ଉଠାଇ ଆଣିଛନ୍ତି । ପୋଲିସ ପକ୍ଷରୁ ସମୁଦ୍ରକୂଳେ ସାଇରନ ଓ ନାଲି ପତକା ଉଡାଇ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଇଛନ୍ତି ।

ବର୍ଷା ଯୋଗୁ ବଡଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି ଢେଉ ଭାଙ୍ଗୁଛି । ପବନର ଗତି ବଢୁଥିବା ଲକ୍ଷ୍ଯ କରାଯାଉଛି । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ଚିଲିକା ସମୁଦ୍ରକୂଳ ଅରଖକୁଦାରେ ଲକ୍ଷ୍ମୀ ନାରାୟଣ ସାହୁଙ୍କ ଡଙ୍ଗା ଭାସିଯାଇଛି । ତାହାକୁ ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି । ସମୁଦ୍ର ଲହଡିର ବିକଟାଳ ରୂପ ଦେଖିବାକୁ ମିଳିଛି । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ବାତ୍ୟାରେ ଯେପରି ଜୀବନହାନି ନଘଟେ ସେଥିପାଇଁ ପ୍ରଶାସନ ନଜର ରଖିଛି । ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ସରଞ୍ଜାମ ମୌଳିକ ସୁବିଧା, ପାନୀୟଜଳ, ବିଦ୍ୟୁତ ବ୍ଯବସ୍ଥା,ଶୌଚାଳୟ ଓ ପରିମଳ ବ୍ୟବସ୍ଥା କରାଯାଇଛି । ସମୁଦ୍ରକୂଳ ସମ୍ବେଦନଶୀଳ ଅଞ୍ଚଳରେ ଓଡ୍ରାଫ ,ଏନଡିଆରଏଫ,ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । ସହରର ଖାଲୁଆ ଅଞ୍ଚଳରେ ପାଣି ଜମିଛି ।

ହରିହର ଛକ ଠାରୁ ଦିଗବାରେଣୀ ଛକ ମଧ୍ଯରେ ଜଳ ନିଷ୍କାସନ ହୋଇନପାରି ଆଣ୍ଠୁଏ ଉଚ୍ଚ ର ପାଣି ଦେଖିବାକୁ ମିଳିଥିଲା । ଦିଗବାରେଣୀ ଛକ ଠାରୁ ଚୈତନ୍ୟ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ଓ ଡ୍ରେନେ ପାଣି ସମୂଦ୍ରରେ ମିଶୁଥିବା ଦେଖିବାକୂ ମିଳିଥିଲା । ବାତ୍ୟା ,ବର୍ଷା ଓ ପବନ ଯୋଗୁ ବଡଦାଣ୍ଡରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଝଟକା ପବନ ଓ ଝଟକା ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହତାରେ ପାଣି ଜମି ରହିଛି ।ଆସନ୍ତାକାଲି ବୁଧବାର ଓ ଗୁରବାର ବର୍ଷା ଓ ପବନର ବେଗ ବଢିବାର ସମ୍ଭାବନା ରହିଛି ।
