ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଅତ୍ୟନ୍ତ ଭୀଷଣ ଚକ୍ରବାତ “ଅର୍ଣ୍ଣବ’ ପୂର୍ବ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ବେଳେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ପବନ ସହ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆଇଏମଡି ଛଅଟି ଜିଲ୍ଲା — ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ପାଇଁ “ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକରେ ୧୨ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। “ୟେଲୋ ୱାର୍ଣ୍ଣିଂ’ ଅଧୀନରେ ଥିବା ଜିଲ୍ଲାଗୁଡ଼ିକ ହେଲା — ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ନୂଆପଡ଼ା, ବଲାଙ୍ଗୀର ଏବଂ ବୌଦ୍ଧ। ଏହି ଜିଲ୍ଲାଗୁଡ଼ିକରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ନିଜର ସଦ୍ୟତମ ବୁଲେଟିନ୍ରେ କହିଛି ଯେ, ଅତ୍ୟନ୍ତ ଭୀଷଣ ବାତ୍ୟା “ଅର୍ଣ୍ଣବ’ ଗତ ଛଅ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରିଛି। ମଙ୍ଗଳବାର ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ପ୍ରାୟ ୨୬୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହି ବାତ୍ୟା ଅକ୍ଟୋବର ୨୭ ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି। ଏହା ପରେ ଏହା ଉତ୍ତରପଶ୍ଚିମ ଦିଗକୁ ମୋଡ଼ ନେବ ଏବଂ ଅକ୍ଟୋବର ୨୮ ପୂର୍ବାହ୍ନ ସୁଦ୍ଧା ୟାନମ୍ ନିକଟରେ, ବାପାଟଲା ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଏହି ବାତ୍ୟାଟି ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୫-୧୨୫ କିଲୋମିଟର ରହିପାରେ ଏବଂ ପବନର ଝଟକା ଘଣ୍ଟା ପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ଏହି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କର୍ମଚାରୀ ଓ ଆବଶ୍ୟକୀୟ ସରଞ୍ଜାମ ମୁତୟନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
