ମୁମ୍ବାଇ: “ଭାରତ ଛାଡ଼ିବା’ ନୋଟିସ୍ ମାମଲାରେ ଇମ୍ରାନ ଖାନଙ୍କୁ ନଭେମ୍ବର ୨ ପର୍ଯ୍ୟନ୍ତ ଅନ୍ତରୀଣ ଆଶ୍ୱସ୍ତି ମିଳିଛି। ଏହି ଶୁଣାଣି ଏକ ଆବେଦନକୁ ନେଇ ହେଉଛି, ଯାହା ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟର ମୁମ୍ବାଇ କାର୍ଯ୍ୟାଳୟ ଦ୍ୱାରା ତାଙ୍କୁ ଜାରି କରାଯାଇଥିବା ନୋଟିସ୍ ବିରୋଧରେ ଦାଖଲ କରାଯାଇଥିଲା। ଏହି ନୋଟିସରେ ତାଙ୍କୁ ୨୮ ଅକ୍ଟୋବର, ୨୦୨୬ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇମ୍ରାନ ଖାନଙ୍କ “ଭାରତ ଛାଡ଼ିବା’ ନୋଟିସ୍ ସମ୍ବନ୍ଧୀୟ କୋର୍ଟ ଶୁଣାଣି ନଭେମ୍ବର ୨ ତାରିଖ ଅପରାହ୍ନ ୩ଟାରେ ପୁନର୍ବାର ଆରମ୍ଭ ହେବ। ଏହି ଶୁଣାଣି ବମ୍ବେ ହାଇକୋର୍ଟରେ ଅନୁଷ୍ଠିତ ହେବ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଅକ୍ଟୋବର ୧୦ ତାରିଖରେ ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନରେ ଇମ୍ରାନ ଖାନ ଅଂଶଗ୍ରହଣ କରିଥିଲେ। ଏହି ବିକ୍ଷୋଭ ପରେ ପୋଲିସ ତାଙ୍କୁ ଅଟକ ରଖିଥିଲା। ସେ ଜଣେ ବିଦେଶୀ ନାଗରିକ ହୋଇଥିବାରୁ, ଭାରତରେ ଆୟୋଜିତ ଏକ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ପ୍ରଚଳିତ ନିୟମ ଅନୁଯାୟୀ ତାଙ୍କୁ ଦେଶ ଛାଡ଼ିବା ପାଇଁ ଏକ ନୋଟିସ୍ ଜାରି କରାଯାଇଥିଲା। ଇମ୍ରାନ ଖାନ ଏହି କାର୍ଯ୍ୟାନୁଷ୍ଠାନକୁ ବେଆଇନ ଏବଂ ଅନ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ନୋଟିସ୍ ରଦ୍ଦ କରିବା ପାଇଁ ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ମୁମ୍ବାଇ ସ୍ଥିତ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଭାରତ ଛାଡ଼ିବା ନୋଟିସ୍ ପରେ, ଦେଶରୁ ବହିଷ୍କାର ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସୁରକ୍ଷା ପାଇବା ପାଇଁ ଇମ୍ରାନ ଖାନ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ଖାନ ତାଙ୍କର ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ ସ୍ଥିତି ସହ ଜଡ଼ିତ ସର୍ତ୍ତଗୁଡ଼ିକୁ ଉଲ୍ଲଂଘନ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଯୁକ୍ତି ଦର୍ଶାଇଛନ୍ତି ଯେ, ସେହି ସମୟରେ ଏକତ୍ରିତ ହେବା ଉପରେ ଲାଗୁ କରାଯାଇଥିବା କଟକଣାଗୁଡ଼ିକ ଏକ ସ୍ଥାନୀୟ ପୋଲିସ ନିର୍ଦ୍ଦେଶ ଅଧୀନରେ ଥିଲା, ନା କି ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫ ଅଧୀନରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିକ୍ଷୋଭ ସ୍ଥଳଟି କେନ୍ଦ୍ର ସରକାରଙ୍କ ଦ୍ୱାରା ଉକ୍ତ ଆଇନ ଅଧୀନରେ ବିଜ୍ଞାପିତ କୌଣସି ସୁରକ୍ଷିତ କିମ୍ବା ନିଷିଦ୍ଧ ସ୍ଥାନ ନଥିଲା। ନିଜ ଆବେଦନରେ ଖାନ ଦର୍ଶାଇଛନ୍ତି ଯେ, ଅକ୍ଟୋବର ୧୦ ତାରିଖର ବିକ୍ଷୋଭ ସମୟରେ ସେ ପୋଲିସ ବ୍ୟାରିକେଡ୍ ଅତିକ୍ରମ କରିବାକୁ ଚେଷ୍ଟା କରିନଥିଲେ। ସେ ଦାବି କରିଛନ୍ତି ଯେ, ସେଠାରୁ ଚାଲିଯିବାକୁ କୁହାଯିବା ପରେ ସେ ନିଜ କାର୍ ଆଡ଼କୁ ଫେରୁଥିଲେ, ସେହି ସମୟରେ ତାଙ୍କୁ ଅଟକ ରଖାଯାଇଥିଲା। ସେହି ସନ୍ଧ୍ୟାରେ ତାଙ୍କୁ ମୁକ୍ତ କରାଯାଇଥିଲା। ଅଭିନେତା ଜଣକ ଆହୁରି ମଧ୍ୟ ଯୁକ୍ତି ଦର୍ଶାଇଛନ୍ତି ଯେ, କୌଣସି ଶୋଭାଯାତ୍ରା କିମ୍ବା ବିକ୍ଷୋଭରେ ଅଂଶଗ୍ରହଣ କରିବା ମାତ୍ରେ ତାହା ବିଦେଶୀ ନାଗରିକ କିମ୍ବା ଙଉଓ କାର୍ଡଧାରୀଙ୍କ ପାଇଁ ଲାଗୁ ହେଉଥିବା ସର୍ତ୍ତଗୁଡ଼ିକର ଉଲ୍ଲଂଘନ ବୋଲି ଧରାଯାଇପାରିବ ନାହିଁ। ଏହା ବ୍ୟତୀତ, ଯେଉଁ ଏଫଆଇଆର ଉପରେ ବର୍ତ୍ତମାନ ତଦନ୍ତ ଚାଲିଛି, ତାହାକୁ ଆଧାର କରି ତାଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯିବା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
