ପୁରୀ: ଜୁଲାଇ ୧୬ ତାରିଖ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଖଳାରେ ତିନିରଥ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ରବିବାର ରଥ ନିର୍ମାଣର ୩୪ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଶେଷ ହୋଇଛି ତିନିରଥର ବାକି ଥିବା ୧୮ ଗୋଟି ଅଖର ନିର୍ମାଣ କାର୍ଯ୍ୟ । ଭଉଁରୀ ତିଥିରେ ଚକ ଅଖ ଡେରା ନୀତି ପାଇଁ ଶେଷ ହୋଇଥିବା ତିନିରଥର ଗୋଟିଏ ଗୋଟିଏ ନାହାକା ଆଖକୁ ମିଶାଇ ଆଜିସୁଦ୍ଧା ତିନି ରଥ ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଛି। ତିନିରଥର ୨୦ ଫୁଟିଆ ୧୪ ଟି ଲେଖାଏଁ ଚଉଦ ନାହାକା ଖମ୍ବି ନିର୍ମାଣ କାର୍ଯ୍ୟ ଜାରୀ ରହିଛି, ରଥ ଅମୀନ ଚଉଦ ନାହାକା ନିର୍ମାଣ ପାଇଁ ତିନିରଥ ଚାଳିକୁ ଭୋଇ ସେବକଙ୍କ ସହାୟତାରେ ଦୁଇଟି ପର୍ଯ୍ୟାୟରେ ୧୧ ଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଫାଳି ଯୋଗାଇ ଦେଇଥିଲେ,

ସେଥି ମଧ୍ୟରୁ ଆଜି ସୁଦ୍ଧା ତାଳଧ୍ୱଜ ରଥର ୮ ଟି ,ଦର୍ପଦଳନ ରଥର ୯ ଟି ଏବଂ ନନ୍ଦି ଘୋଷ ରଥର ୧୧ ଟି ଚଉଦ ନାହାକା ଚଉପଟ ପରେ ତାର ଅଷ୍ଟ କୋଣୀ ଆଂଶ ମରା କାର୍ଯ୍ୟ ଶେଷ ହୋଇଛି। ବାକି ନା ହାକା ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀ ରହିଛି। ରୂପକାର ସେବକ ମାନେ ତିନିରଥର ସାଲଗୁଜାରେ ରୂପ ଖୋଦେଇ ଶେଷ କରି ତିନି ରଥର ୮ ଟି ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଅଖ କଣ୍ଟା , ଦଣ୍ଡା କଣ୍ଟା ସହ ବେଦୀ ସିଂହାସନ ର ବାହାର ପାର୍ଶ୍ୱ ପରିକ୍ରମା ପ୍ରସ୍ତୁତିରେ ପଟା ବାଡ଼ିଆ ପାଇଁ ତାଗ କଣ୍ଟା ପ୍ରସ୍ତୁତି ଜାରୀ ରଖିଛନ୍ତି। ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥ ଯାତ୍ରା ରେ ସେବା ପୂଜା ପାଇଁ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
