ବାରିପଦା /କରଞ୍ଜିଆ ; ବିଜୟା ଦଶମୀ ଅବସରରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି କଂଗ୍ରେସ ଭାଇ ସେବା ଦଳର ସକ୍ରିୟ ସଦସ୍ୟ ରାଜକୁମାର ସାହୁ। କାତାରରେ ମ୍ୟାନେଜର ଭାବେ କାର୍ଯ୍ୟରତ ରାଜକୁମାର ପୂଜା ଛୁଟିରେ ସ୍ୱଦେଶକୁ ଫେରି ସଂଗଠନର ସଦସ୍ୟମାନଙ୍କ ସହଯୋଗରେ ଏହି ସେବା କାର୍ଯ୍ୟ କରିଥିଲେ। ସେ ପ୍ରତିବର୍ଷ ଏକାଧିକ ଥର ଏଭଳି ଜନସେବାମୂଳକ କାର୍ଯ୍ୟ କରିଆସୁଛନ୍ତି। ଚିକିତ୍ସାଳୟର ରୋଗୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ସହ କରଞ୍ଜିଆ ଓ ଆଖପାଖ ଅଞ୍ଚଳର ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ଓ କମ୍ବଳ ପ୍ରଦାନ କରୁଛନ୍ତି। ଏଥିସହ ଅନାଥ ଆଶ୍ରମରେ ମିଷ୍ଟାନ୍ନ ଓ ପାଠ୍ୟ ଉପକରଣ ବଣ୍ଟନ କରି ସାମାଜିକ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେବା ଦଳର ସଭାପତି ସଚ୍ଚିଦାନନ୍ଦ ସାହୁ, ସମ୍ପାଦକ ଉଦୟ ନାଏକ, ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକାରୀ ଡ. ଅନିତା ସିଂ, ନର୍ସିଂ ଅଫିସର ଅହଲ୍ୟା ରାଉତ, ଚିତ୍ରଶିଳ୍ପୀ ଚିତ୍ତରଞ୍ଜନ ନାଏକ, ସମାଜସେବୀ ରଞ୍ଜିତ ବଡ଼ ନାଏକ, ବିନୟ ଦାସ, ରାଜା ସାହୁ, ମହମ୍ମଦ ଫିରୋଜ, ଦେବାଶିଷ ବେହେରା ଓ ସୁଶ୍ରୀ ସାଇ ସିଦ୍ଧି ସାହୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଚିକିତ୍ସାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
