ବାରିପଦା /କରଞ୍ଜିଆ; ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ବୁଧବାର ଭକ୍ତିମୟ ପରିବେଶରେ ବିଜୟା ଦଶମୀ ପାଳିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ସମାପନ ହୋଇଥିବାବେଳେ ସହରରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ସହରର ସର୍ବପୁରାତନ ପୂଜାମଣ୍ଡପ ଦୋଳପଡ଼ିଆସ୍ଥିତ ସାର୍ବଜନୀନ ଦୁର୍ଗାପୂଜା କମିଟି ସମେତ ମିଳନପଡ଼ିଆ, ପଟାକାଠ ଛକ, ମାଣିକ ଛକ, ଡେଲି ମାର୍କେଟ, ବଡ଼ଦାଣ୍ଡ ଓ ଗଡ଼ସାହି ପୂଜା ମଣ୍ଡପରେ ମା’ଙ୍କ ପୂଜା ଆୟୋଜିତ ହୋଇଥିଲା। ବିଜୟା ଦଶମୀ ଅବସରରେ ଦୋଳପଡ଼ିଆ ରାବଣପୋଡ଼ି କମିଟି ଆନୁକୂଲ୍ୟରେ ଦୋଳପଡ଼ିଆଠାରେ ଏବଂ ମିଳନପଡ଼ିଆ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ମିଳନପଡ଼ିଆଠାରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୋଳପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡ଼ା ମୁଖ୍ୟ ଅତିଥି ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ ଓ ଜନାର୍ଦ୍ଦନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାବଣ ଦହନ କରିଥିଲେ। ପରେ ମିଳନପଡ଼ିଆଠାରେ ଅନୁଷ୍ଠିତ ରାବଣପୋଡ଼ି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଡ.ପରିଡ଼ା ଓ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ନାଏକ ଯୋଗଦେଇ ରାବଣ ଦହନ କରିଥିଲେ।
କାର୍ଯ୍ୟକ୍ରମରେ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କରାଯାଇଥିଲା। ସିନେମା ହଲ୍ ଛକ ଓ ମିଳନପଡ଼ିଆ ଛକରେ ବ୍ୟାରିକେଡ୍ ଲଗାଯାଇ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯାଇଥିଲା। ଏଥିସହ ଉଭୟ ସ୍ଥାନରେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରଖାଯାଇଥିଲା। ରାବଣପୋଡ଼ି କାର୍ଯ୍ୟକ୍ରମ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବେ ପାଳିତ ହୋଇଥିବାବେଳେ ବିଜୟା ଦଶମୀକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।
