ବାରିପଦା /ସାହାରପଡା; ଆଜି ନିରବ ହୋଇ ଯାଇଛି ଏକ ପରିଚିତ ସ୍ୱର, ଥମି ଯାଇଛି ଏକ ଜୀବନର ଯାତ୍ରା। ଯେଉଁ ମଣିଷଙ୍କ ସହ ଜଡ଼ିତ ଥିଲା ପାଟଣା ନିର୍ବାଚନ ମଣ୍ଡଳୀ ର ରାଜନୈତିକ ଇତିହାସ ଓ ଅନେକ ଲୋକଙ୍କ ସ୍ମୃତି, ସେହି ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କୁ ଶେଷ ବିଦାୟ ଦେଇଛି ତାଙ୍କ ପ୍ରିୟ ମାଟି। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସମଗ୍ର ପାଟଣା ଅଞ୍ଚଳରେ ଖେଳିଯାଇଛି ଗଭୀର ଶୋକର ଛାୟା। ଗୁରୁବାର ରାତିରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୯ ବର୍ଷ ବୟସରେ କାହ୍ନୁଚରଣ ନାଏକଙ୍କ ପରଲୋକ ଘଟିଥିଲା। ଶୁକ୍ରବାର ତାଙ୍କ ପାର୍ôଥବ ଶରୀର କେନ୍ଦୁଝରରୁ ପୈତୃକ ଗ୍ରାମ ଭଗପଶି ଅଭିମୁଖେ ଯାତ୍ରା କରିବା ସମୟରେ ବିଭିନ୍ନ ଛକରେ ଶେଷ ଦର୍ଶନ ପାଇଁ ଜମିଥିଲା ଲୋକଙ୍କ ଭିଡ଼। ହଜାର ହଜାର ସମର୍ଥକ, ଶୁଭେଚ୍ଛୁ ଓ ଅଞ୍ଚଳ ବାସୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ନିଜର ପ୍ରିୟ ନେତାଙ୍କୁ ବିଦାୟ ଦେଇଥିଲେ। ଚାରିଆଡ଼େ ଗୁଞ୍ଜରି ଉଠିଥିଲା—‘କାହ୍ନୁ ନାଏକ ଅମର ରହେ’।

ଗାଁ ମାଟିରେ ଶେଷ ଯାତ୍ରା, ଆଖିରେ ଆଖିଏ ଲୁହ
ପାଟଣା ବ୍ଲକର କଣ୍ଟିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ଭଗପଶି ଗ୍ରାମରେ ପାର୍ôଥବ ଶରୀର ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଏକ ହୃଦୟ ବିଦାରକ ପରିବେଶ। ଯେଉଁ ଗାଁର ମାଟିରେ ତାଙ୍କ ଜୀବନର ମୂଳ ରହିଥିଲା, ସେହି ମାଟିରେ ତାଙ୍କୁ ଶେଷ ବିଦାୟ ଦେବାକୁ ଏକାଠି ହୋଇଥିଲେ ଅସଂଖ୍ୟ ଲୋକ। ‘ରାମ ନାମ ସତ୍ୟ ହେ’ ଓ ‘କାହ୍ନୁ ନାଏକ ଅମର ରହେ’ ଧ୍ୱନି ସହ ସଂକୀର୍ତ୍ତନର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ପାର୍ôଥବ ଶରୀରକୁ ଗାଁମୁଣ୍ଡ ପଡ଼ିଆକୁ ନିଆ ଯାଇଥିଲା। ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା। ବଡ଼ପୁଅ ଲୋକନାଥ ନାଏକ ମୁଖାଗ୍ନି ଦେଇଥିଲେ। ଏହି ଦୃଶ୍ୟ ଉପସ୍ଥିତ ଜନତାଙ୍କ ଆଖିରେ ଲୁହ ଆଣି ଦେଇଥିଲା। ଅନ୍ତିମ ବିଦାୟର ସେହି ମୁହୂର୍ତ୍ତରେ ପତ୍ନୀ ତଥା ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାଏକ, ମଝିଆ ପୁଅ ତଥା ବିଜେଡି ନେତା ସତ୍ୟବ୍ରତ ନାଏକ, ସାନପୁଅ ତଥା ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ତିନି ବୋହୂ, ନାତିନାତୁଣୀ, ଝିଅ ଝରଣା, ଜ୍ୱାଇଁ ଙ୍କ ସମେତ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ।

ଦଳମତ ନିର୍ବିଶେଷରେ ଶ୍ରଦ୍ଧାଞ୍ଜଳି
କାହ୍ନୁଚରଣ ନାଏକଙ୍କ ଶେଷ ଦର୍ଶନ ପାଇଁ ରାଜନୈତିକ ଓ ସାମାଜିକ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଭଗପଶିରେ ପହଞ୍ଚିଥିଲେ। କେନ୍ଦୁଝର ସାଂସଦ ଅନନ୍ତ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ ତେଲକୋଇ ବିଧାୟକ ପ୍ରାଣବଲ୍ଲଭ ନାଏକ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ବିଜେଡି ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ଓ ପୂର୍ବତନ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ, ସୁକାନ୍ତି ନାଏକ, ବିଶ୍ୱନାଥ ନାଏକ, ଗଣ୍ଡ ସମାଜର ପ୍ରଫୁଲ୍ଲ ସିଂ, କିରଣବାଳା ନାଏକ, ବେଣୁଧର ନାଏକ, ସାଂସଦଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ବିଧାୟକଙ୍କ ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ, ଭାଜପା ନେତା ଭବାନୀ ନାଏକ ଓ ପୃଥ୍ୱୀରାଜ କୁଅଁର, ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ନୋଟାରି ମାଜିଷ୍ଟ୍ରେଟ ରାହାସ ବିହାରୀ ପୃଷ୍ଟି, ବିଜେଡି ଜିଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ଛାତ୍ର ଜିଲା ସଭାପତି ଅମରେନ୍ଦ୍ର ପ୍ରଧାନ, ଶିଳ୍ପପତି ବିବେକାନନ୍ଦ ଦାଶ, ଛାତ୍ରନେତା ବିପ୍ଳବ ପୃଷ୍ଟି ଓ କଂଗ୍ରେସ ନେତା ଲକ୍ଷ୍ମଣ ଦାଶ ପ୍ରମୁଖ ଶେଷ ଦର୍ଶନ କରିଥିଲେ। କୁଡୁମି ସେନାର ରାଜ୍ୟ ଉପସଭାପତି ତଥା କାହ୍ନୁଚରଣଙ୍କ ରାଜନୈତିକ ସହଯୋଗୀ ମିତ୍ରଭାନୁ ମହାନ୍ତ ଏବଂ କଂଗ୍ରେସର ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକଙ୍କ ସମେତ ଜିଲା ଓ ରାଜ୍ୟର ଅନେକ ବିଶିଷ୍ଟ ନେତା ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ଶୋକବାର୍ତ୍ତା
ପୂର୍ବତନ ବିଧାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକବ୍ୟକ୍ତ କରିଛନ୍ତି। ନିଜ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ କାହ୍ନୁଚରଣ ନାଏକଙ୍କ ଦେହାନ୍ତ ଖବର ତାଙ୍କୁ ଅତ୍ୟନ୍ତ ଦୁଃଖିତ କରିଛି। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍?ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କେନ୍ଦୁଝର ସାଂସଦ ଅନନ୍ତ ନାଏକ ଏହି ବିୟୋଗକୁ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଭିହିତ କରିଛନ୍ତି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ମିଳୁ ବୋଲି ସେ କାମନା କରିବା ସହ ଦିବଙ୍ଗତ ଆତ୍ମାର ଚିରଶାନ୍ତି ପ୍ରାର୍ଥନା କରିଛନ୍ତି।ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମଧ୍ୟ କାହ୍ନୁଚରଣଙ୍କ ବିୟୋଗରେ ପାଟଣା ଅଞ୍ଚଳବାସୀ ଗଭୀର ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି। ବିଜେଡି ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି।
ସ୍ମୃତିରେ ରହିବେ କାହ୍ନୁଚରଣ
ମଣିଷର ଜୀବନ ଦିନେ ନା ଦିନେ ଶେଷ ହୁଏ, କିନ୍ତୁ ତା’ ସହ ଜଡ଼ିତ ସ୍ମୃତି ଓ ସମ୍ପର୍କ ସହଜରେ ଲିଭିଯାଏ ନାହିଁ। କାହ୍ନୁଚରଣ ନାଏକଙ୍କ ବିୟୋଗରେ ପାଟଣା ଅଞ୍ଚଳ ଆଜି ଜଣେ ପୂର୍ବତନ ଜନପ୍ରତିନିଧିଙ୍କୁ ହରାଇ ଶୋକାକୁଳ। ତାଙ୍କ ଶେଷଯାତ୍ରାରେ ଏକାଠି ହୋଇଥିବା ଜନସମାଗମ ଓ ଦଳମତ ନିର୍ବିଶେଷରେ ଜଣାଯାଇଥିବା ଶ୍ରଦ୍ଧାଞ୍ଜଳି ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟତାକୁ ପ୍ରତିଫଳିତ କରିଛି। ଭଗପଶିର ମାଟିରେ ତାଙ୍କ ପାର୍ôଥବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି, ହେଲେ ତାଙ୍କ ଜୀବନଯାତ୍ରା ସହ ଜଡ଼ିତ ସ୍ମୃତି ଓ ଅନୁଭୂତି ଅନେକଙ୍କ ମନରେ ରହିବ। ଶୋକାକୁଳ ପାଟଣା ଆଜି ଅଶ୍ରୁଳ ନୟନରେ ତାଙ୍କୁ ବିଦାୟ ଦେଇ କହୁଛି—ବିଦାୟ କାହ୍ନୁ ବାବୁ, ଆପଣଙ୍କ ସ୍ମୃତି ରହିବ ଚିରଦିନ।
