ବ୍ରହ୍ମପୁର: ଜଙ୍ଗଲୀ ବାର୍ହା ଶିକାର କରି ବେଆଇନ ଭାବେ ମାଂସ ବିକ୍ରି ପାଇଁ ଚାଲାଣ କରୁଥିବା ବେଳେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି ଦୁଇ ଶିକାରୀ। ବୁଧବାର ତୁରୁବୁଡ଼ି ବନ ବିଭାଗ କର୍ମଚାରୀ ଚଢ଼ଉ କରି ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବାର୍ହା ମାଂସ ଓ ଚାଲାଣରେ ବ୍ୟବହୃତ ଏକ ବାଇକ୍ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବେଲାପଡ଼ା ଗ୍ରାମର ଭୈର ସେଠୀ ଓ ଲକ୍ଷ୍ମଣ ସାହୁ। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଉଭୟେ ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ପଙ୍କାଳ ଅଣସଂରକ୍ଷିତ ଜଙ୍ଗଲରେ ଫାଶ ବସାଇ ଏକ ଜଙ୍ଗଲୀ ବାର୍ହା ଶିକାର କରିଥିଲେ। ପରେ ଜଙ୍ଗଲ ମଧ୍ୟରେ ବାର୍ହା କୁ କାଟି ଚମଡ଼ା ଛଡ଼ାଇବା ସହ ମାଂସକୁ ବିକ୍ରି ଉଦ୍ଦେଶ୍ୟରେ ଅନ୍ୟତ୍ର ଚାଲାଣ କରୁଥିଲେ। ବୁଧବାର ବୁଢ଼ାଗଡ଼–ବେଲାପଡ଼ା ପୂର୍ବ ରାସ୍ତା ଦେଇ ଏକ ବାଇକ୍ (ଓଡି-୦୭-ଡବ୍ଲ୍ୟୁ-୩୭୫୩) ଯୋଗେ ମାଂସ ନେଇ ଯାଉଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ଉକ୍ତ ରାସ୍ତାରେ ଚଢ଼ଉ କରି ଉଭୟଙ୍କୁ କାବୁ କରିଥିଲେ। ଏହି ଘଟଣାରେ ସାମନ୍ତିଆପଲ୍ଲୀ ବନାଞ୍ଚଳ ପକ୍ଷରୁ କେସ୍ ନମ୍ବର ୧୫୫/୨୦୨୬-୨୭ ରୁଜୁ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶ–ଓଡ଼ିଶା ସୀମା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ସୀମାନ୍ତବର୍ତ୍ତୀ ପାତ୍ରପୁର ଅଞ୍ଚଳରେ ପୂର୍ବରୁ ମଧ୍ୟ ବନ୍ୟଜନ୍ତୁ ଶିକାର ଘଟଣା ସାମ୍ନାକୁ ଆସିଛି। ଏହି ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ ହେବା ସହ ସମ୍ପୃକ୍ତ ଶିକାରୀମାନଙ୍କୁ ଗିରଫ କରାଯାଇଥିବା ନଜିର ରହିଛି।
